୪ ଦଫା ଦାବି ନେଇ ସିମୁଳିଆ ଥାନା ସମ୍ମୁଖରେ ଭାଜପାର ଗଣଧାରଣା

ସିମୁଳିଆ,୧୬।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଭାଜପା ପକ୍ଷରୁ ଶନିବାର ମଧ୍ୟାହ୍ନରେ ୪ ଦଫା ଦାବି ନେଇ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଭାଜପା ସମର୍ଥକ ଓ ଦଳୀୟ କର୍ମୀ ମନ୍ତ୍ରୀଙ୍କ ମାର୍କୋଣାସ୍ଥିତ ବାସଭବନରୁ ପଦଯାତ୍ରାରେ ବାହାରି ମାର୍କୋଣା ଛକ ପରିକ୍ରମା କରିବା ପରେ ସିମୁଳିଆ ଥାନା ସମ୍ମୁଖରେ ନିର୍ମିତ ଧାରଣାସ୍ଥଳୀରେ ପହଞ୍ଚିଥିଲେ। ଏଥିରେ ପୂର୍ବତନ ଜିଲାପରିଷଦ କ୍ଷୀତିଶ କୁମାର ମହାନ୍ତିଙ୍କ ସମେତ ୬ ଜଣଙ୍କୁ ଜମି ଦୁର୍ନୀତିରେ ଗିରଫି, ପୋଲିସ ପ୍ରଶାସନ ପକ୍ଷରୁ ଦଳୀୟ ବିଜେଡିର ସମର୍ଥକମାନଙ୍କୁ ସହଯୋଗ କରି ଭାଜପା କର୍ମୀ ଓ ସମର୍ଥକଙ୍କୁ ହଇରାଣ କରାଯିବା, ଜମିଦୁର୍ନୀତିରେ ତହସିଲଦାର ରବୀନ୍ଦ୍ର କୁମାର ସାହୁଙ୍କ ସମ୍ପୃକ୍ତି, ପର୍ଯ୍ୟଟନ ମନ୍ତ୍ରୀଙ୍କ ଇଙ୍ଗିତରେ ଥାନା ପରିଚାଳିତ ହେବା ଓ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ାଙ୍କ ପାତରଅନ୍ତର ନୀତିରେ ତାଙ୍କୁ ବଦଳି କରାଯିବା ପାଇଁ ଦାବି ହୋଇଥିଲା ା ଦଳୀୟ କର୍ମୀ ସର୍ବେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣଧାରଣାରେ ଖାରବେଳ ସ୍ବାଇଁ, ମାଧବାନନ୍ଦ ମଲିକ, ମନସ୍ମିତା ଖୁଣ୍ଟିଆ, ସସ୍ମିତା ପାଣି, ମନୋରଞ୍ଜନ ସ୍ବାଇଁ, ମିନାକ୍ଷୀ ମହାପାତ୍ର, ଭରତ କୁମାର ମହାନ୍ତି, ବେଣୁମାଧବ ପଣ୍ଡା, ଭାରତୀ ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ା ଆଜିର ଏହି ଧାରଣା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ଏହାକୁ କାର୍ଯ୍ୟକାରୀ ନ କଲେ ଆସନ୍ତା ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ସୂଚନା ଦେଇଛନ୍ତି।