୪ ଦିନରେ ୨୫ କୋଟିି ବକେୟା ଆଦାୟ କଲା ସେସୁ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଗତ ୧୬ ତାରିଖରୁ ଆରମ୍ଭ କରିଥିବା ସ୍ବତନ୍ତ୍ର ବିଦ୍ୟୁତ କାଟ ଡ୍ରାଇଭ ଯୋଗୁ ରାଜସ୍ବ ଆଦାୟ ବୃଦ୍ଧିପାଇଛି। ଗତ ୪ଦିନ ମଧ୍ୟରେ ସେସୁ ୨୫ କୋଟି ଟଙ୍କା ବକେୟା ବିଦ୍ୟୁତ ବିଲ୍‌ ଆଦାୟ କରିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସେସୁ ସୋମବାର ୪.୫୩ କୋଟି ଟଙ୍କା ଆଦାୟ କରିଥିବା ବେଳେ ୧୪୧୬ ବ୍ୟବସାୟ ପ୍ରତିଷ୍ଠାନରୁ ବିଦ୍ୟୁତ ବିଚ୍ଛିନ୍ନ କରିଛି। ତେବେ ଗତ ୪ ଦିନ ମଧ୍ୟରେ ସେସୁ ମୋଟ ୭,୮୯୧ ବିଦ୍ୟୁତ ବିିଚ୍ଛିନ୍ନ କରିଛି। ସେଥିରୁ ୩,୩୭୫କୁ ପୁନଃ ସଂଯୋଗ କରାଯାଇଛି। ସେସୁ ଅଞ୍ଚଳରେ ଥିବା ୨୪୭ ସେକ୍ସନରେ ସମୁଦାୟ ୪୮୦ଟି ସ୍ବତନ୍ତ୍ର ସ୍କ୍ବାଡ ବୁଲି ଲାଇନ କାଟୁଛନ୍ତି। ଏହି ସ୍କ୍ବାଡ ଏ ପର୍ଯ୍ୟନ୍ତ ବକେୟା ଦେଇ ନ ଥିବା ୧୦, ୧୨୭ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୧୬ଜଣ ବିଦ୍ୟୁତ ବକେୟା ପଇଠ ନ କରିବାରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ସେହିପରି ୧୪୪୦ ଜଣ ଅଧିକ ବିଲ ଆସିଥିବା ଅଭିଯୋଗ କରି ଆବେଦନ କରିଥିବା ବେଳେ ୫୪୨୮ ଗ୍ରାହକ ସେମାନଙ୍କର ବକେୟା କିସ୍ତି ଆକାରରେ ଦେବାକୁ ଅନୁରୋଧ କରିଥିବା ସେସୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share