Categories: ବାଣିଜ୍ୟ

୪ ଦିନ ଧରି ବଢୁଛି ତେଲ ଦର

ନୂଆଦିଲ୍ଲୀ,୬-୧: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ରବିବାର ସମେତ ଗତ ୪ ଦିନ ହେବ ଲଗାତର ତେଲ ଦର ବୃଦ୍ଧି ଘଟୁଛି। ଏହି ଏୟାର ଷ୍ଟ୍ରାଇକ ପରେ ଇରାନର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ତର୍ଜାତୀୟ ତେଲ ବଜାର ଉପରେ ଏହାର ପ୍ରଭାବ ପଡିଛି। ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢିଲେ ଏହା ବଜାର ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ତେଲ ବଜାରରେ ପ୍ରଭାବ ଆସିବା ଯୋଗୁ ପେଟ୍ରୋଲର ରିଟେଲ ପମ୍ପ ମୂଲ୍ୟ କ୍ଷେତ୍ରରେ ୯ ପଇସା ଏବଂ ଡିଜେଲର ଲିଟର ପ୍ରତି ଦର ୧୧ ପଇସା ବଢିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଦିଲ୍ଲୀରେ ରବିବାର ପେଟ୍ରୋଲ ଲିଟର ପିଛା ଦର ୭୫.୫୪ ଟଙ୍କା ଥିବା ବେଳେ ଏହା ଗୋଟିଏ ବର୍ଷର ରେକର୍ଡ ଭାଙ୍ଗିଛି। ଏହି ସମୟରେ ଡିଜେଲ ଦର ୬୮.୫୧ ଟଙ୍କା ଛୁଇଁଛି।
ଆମେରିକାର ଏହି ଏୟାରଷ୍ଟ୍ରାଇକ ଯୋଗୁ ବିଶ୍ୱ ସ୍ତରର ସେୟାର ବଜାର ପ୍ରଭାବିତ ହୋଇଛି। ଶୁକ୍ରବାର ଅଶୋଧିତ ତୈଳ ଦର ୩% ବଢିଛି। ସୋମବାର ତୈଳ ବଜାର ପୁଣି ଥରେ ଖୋଲିବ। ଭାରତ ଏହାର ୮୪% ଇନ୍ଧନ ଆବଶ୍ୟକତା ଆମଦାନୀ ଦ୍ୱାରା ପୂରଣ କରୁଛି। ଭାରତ ଏହାର ମୋଟ ଇନ୍ଧନ ଆବଶ୍ୟକତା ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ମଧ୍ୟ ପ୍ରାଚ୍ୟରୁ ଆମଦାନୀ କରିଥାଏ। ଭାରତକୁ ତେଲ ଯୋଗାଉଥିବା ପ୍ରମୁଖ ରାଷ୍ଟ୍ର ମଧ୍ୟରେ ଇରାକ ଏବଂ ସୌଦି ଆରବ ରହିଛି। ତ୍ୱରିତ ଭିତ୍ତିରେ ଯୋଗାଣ କ୍ଷେତ୍ରରେ ଭାରତ ଉପରେ କୌଣସି ପ୍ରଭାବ ପଡିବନି ବୋଲି କୁହାଯାଇଛି। ମାତ୍ର ତେଲ ଦର ଉପରେ ଏହାର କିଛିଟା ପ୍ରଭାବ ପଡିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨ ପରଠାରୁ ପେଟ୍ରୋଲ ଦର ୩୮ ପଇସା ଏବଂ ଡିଜେଲ ଦର ୫୫ ପଇସା ବଢିଛି। ଡିସେମ୍ବର ୨୬ ପରଠାରୁ ପେଟ୍ରୋଲ ଦର ୯୧ ପଇସା ବଢିଥିବା ବେଳେ ନଭେମ୍ବର ୨୯ ପରଠାରୁ ଡିଜେଲ ଦର ୨.୭୮ ଟଙ୍କା ବଢିଛି।

Share