୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୪।୬(ବ୍ୟୁରୋ)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୩୨.୬ ମିମି ବର୍ଷା ହୋଇଥିବାବେଳେ ତାଳଚେର ଓ ପାରାଦୀପରେ ୧୫ ମିମି, ଅନୁଗୋଳ ୧୨, ଟିଟିଲାଗଡ଼ ୮, ପୁରୀ ଓ ଚାନ୍ଦାବଲିରେ ୭ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୋମବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ସେହିପରି ମଙ୍ଗଳବାର କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଳେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, କଟକ ଓ ଦେବଗଡ଼ର କିଛି ଅଞ୍ଚଳ ଏବଂ ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସମ୍ବଲପୁର ଓ ଅନୁଗୋଳର ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏଥିପାଇଁ ସମ୍ପୃକ୍ତ ଜିଲାରୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Share