Categories: ବାଣିଜ୍ୟ

୪ ଦିନ ଭିତରେ ସଂଶୋଧିତ ଏନ୍‌ପିଏ ସର୍କୁଲାର

ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର ଜାରି କରିବ। ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆର୍‌ବିଆଇର ୨୦୧୮ ଫେବୃୟାରୀ ୧୨ ସର୍କୁଲାର ସୁପ୍ରିମକୋର୍ଟରେ ଚଳିତ ବର୍ଷ ଏପ୍ରିଲ ୨ରେ ରଦ୍ଦ ହୋଇସାରିଛି। ୨୦୦୦ କୋଟି ଟଙ୍କା ଅଥବା ତଦୂର୍ଦ୍ଧ୍ୱ ଟଙ୍କାର ଫସି ଯାଇଥିବା ଋଣ ଓ ଏହାର ସମାଧାନ ଲାଗି ଆର୍‌ବିଆଇ ପକ୍ଷରୁ ପୂର୍ବରୁ ଏକ ସର୍କୁଲାର ଜାରି କରାଯାଇଥିଲା। ଏଥିରେ କୌଣସି ଫସିଥିବା ଋଣର ୧୮୦ ଦିନ ଭିତରେ ସମାଧାନ ନ ହେଲେ ବ୍ୟାଙ୍କ ଏହାକୁ ଦେବାଳିଆ ପ୍ରକ୍ରିୟା ପାଇଁ ଏନ୍‌ସିଏଲ୍‌ଟିଙ୍କ ନିକଟକୁ ପଠାଇବାକୁ ବାଧ୍ୟ ରହିବେ। ନୂଆ ସର୍କୁଲାର ଆସିବା ପରେ ଭିତ୍ତିଭୂମି, ଶକ୍ତି, ଲୁହା, ଷ୍ଟିଲ୍‌ ଏବଂ ଟେକ୍ସଟାଇଲ ସେକ୍ଟରକୁ ଆଶ୍ୱସ୍ତି ମିଳିବ। ସବୁଠାରୁ ଅଧିକ ଏନ୍‌ପିଏ ଏହି ସେକ୍ଟରରେ ରହିଛି। ୨୦୧୮ ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟ ଆର୍‌ବିଆଇ ସର୍କୁଲାର ଉପରେ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଏନ୍‌ପିଏ ସର୍କୁଲାରକୁ ନେଇ ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା।

Share