Categories: ଜାତୀୟ

୪ ଦେଶରେ ଲଜିଷ୍ଟିକ୍‌ ବେସ୍‌ ଖୋଲିବ ହାଲ୍‌

ନୂଆଦିଲ୍ଲୀ,୯ା୩(ପି.ଟି.): ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌) ମାଲେସିଆ, ଭିଏତନାମ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାରେ ଏହାର ଲଜିଷ୍ଟିକ୍‌ ବେସ୍‌ ଖୋଲିବା ପାଇଁ ଯୋଜନା କରୁଛି। ସେହିସବୁ ଦେଶକୁ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ଓ ସାମରିକ ହେଲିକପ୍ଟର ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ହାଲ୍‌। ଉପରୋକ୍ତ ଦେଶଗୁଡ଼ିକ ରୁଷିଆ ନିର୍ମିତ ଯୁଦ୍ଧବିମାନ ଓ ହେଲିକପ୍ଟର ବ୍ୟବହାର କରୁଛନ୍ତି, ଯାହାର ସେବା ପ୍ରଦାନ କ୍ଷମତା ଅତ୍ୟନ୍ତ ନିକୃଷ୍ଟ ବୋଲି ହାଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର୍‌. ମାଧବନ କହିଛନ୍ତି। ସରକାର ଏବେ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର, ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକୀୟ ଦେଶଗୁଡ଼ିକୁ ତେଜସ୍‌, ଲଢ଼ୁଆ ହେଲିକପ୍ଟର ରୁଦ୍ର ଓ ହାଲୁକା ହେଲିକପ୍ଟର ଧ୍ରୁବ ରପ୍ତାନି ଉପରେ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାରକୁ ବଢ଼ାଇବା ପାଇଁ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟଧାର୍ଯ୍ୟ କରିଥିଲେ।

Share