୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଠାକୁରମୁଣ୍ଡା ,୧୫ା୧୧(ଡି.ଏନ୍‌.ଏ.)- ଶିଶୁ ଦିବସରେ ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ। ଏନେଇ ପୋଲିସ ଏକ ମାମଲା (ନଂ.୧୭୩/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୋଲିସ ସୂଚନା ଅନୁଯାୟୀ, ଜଣେ ମହିଳା ଧାନ କାଟିବା ପାଇଁ ବିଲକୁ ଯାଇଥିଲେ। ଘରେ ତାଙ୍କର ଶିଶୁକନ୍ୟା ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଅପରାହ୍ନ ପ୍ରାୟ ୨.୩୦ମି. ସମୟରେ ସେହି ଗ୍ରାମର ପୁରେନ୍ଦ୍ର ମହାନ୍ତ(୪୫) ଶିଶୁ କନ୍ୟାଙ୍କୁ ବଳାତ୍କାର କରିଥିଲେ। ପୀଡିତା କାନ୍ଦିବାରୁ ଅଭିଯୁକ୍ତ ତାଙ୍କୁ ଚକୋଲେଟ ଓ ଆଚାର ଖାଇବାକୁ ଦେଇଥିଲେ। ଧାନ କାଟି ମା’ ଘରକୁ ଫେରିବା ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ଦେଖି ଚିକିତ୍ସା ପାଇଁ କରଞ୍ଜିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଜିଲା ବାହାରେ ଚାକିରି କରୁଥିବା ପୀଡ଼ିତାଙ୍କ ବାପା ଖବରପାଇ ଘରକୁ ଆସିବା ପରେ ପୀଡ଼ିତାଙ୍କ ମା’ ଗୁରୁବାର ରାତିରେ ଏ ନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀ ମାଇନା କରାଇଛି। ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ ଘଟଣାର ତଦନ୍ତ କରୁଛନ୍ତି ।