୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ସିଆଇଏସ୍‌ଏଫ୍‌ କନଷ୍ଟେବଳ ଗିରଫ

ପାରାଦୀପ,୧୯ା୧(ସ୍ବ.ପ୍ର.): ପାରାଦୀପ ଅଞ୍ଚଳରେ ଶନିବାର ୪ ବର୍ଷୀୟା ନାବାଳିକାଙ୍କୁ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ)ର କନଷ୍ଟେବଳ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଆଧାରରେ ପାରାଦୀପ ଅଭୟଚାନ୍ଦପୁର ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସିଆଇଏସ୍‌ଏଫ(ଫାୟାରଓ୍ବିଙ୍ଗ) ହେଡ୍‌ କନଷ୍ଟେବଳ ଏମ୍‌. କାଣ୍ଡାସ୍ବାମୀ (୪୯)। କାଣ୍ଡାସ୍ବାମୀ ରହୁଥିବା ବ୍ଲକରେ ସମ୍ପୃକ୍ତା ନାବାଳିକା ରହୁଥିଲେ। ଫଳରେ ସେ ସକାଳେ ଚକୋଲେଟ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଘରକୁ ଡାକି ଆଣିଥିଲେ। ପରେ ତାଙ୍କୁ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ମା’ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ। ଆଗରୁ ମଧ୍ୟ ସେ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଏକ ମାମଲା ସଂଖ୍ୟା-୮/୨୦ ରୁଜୁ ହୋଇଛି। ସିଆଇଏସ୍‌ଏଫ ପକ୍ଷରୁ କାଣ୍ଡାସ୍ବାମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।