Categories: ଜାତୀୟ

୪ ବର୍ଷ ଶିଶୁର କାନ୍ଦ ସହି ନ ପାରି ଜେଲ୍‌ରେ ବନ୍ଦ ଥିବା ମା’ ସହ ରାତିରେ ଭେଟ କରାଇଲେ ପ୍ରଶାସନ

ସାଗର,୩୦।୧: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଲ୍‌ରେ ବନ୍ଦ ଥିବା ମା’କୁ ଦେଖିବା ପାଇଁ ୪ ବର୍ଷର ଶିଶୁ ରାତିରେ ରାହା ଧରି କାନ୍ଦିଥିଲା। ଏଥିରେ ଜେଲ୍‌ ପ୍ରଶାସନଙ୍କ ହୃଦୟ ତରଳି ଯାଇଥିଲା। ପରେ ଜିଲାର ଅତିରିକ୍ତ ସ୍ବତନ୍ତ୍ର ବିଚାରପତି ଡି.କେ. ନାଗଲେଙ୍କ ପରାମର୍ଶ କ୍ରମେ ମା’ ସହିତ ଶିଶୁର ଭେଟ କରାଯାଇଥିଲା। ଏହାପରେ ଶିଶୁ କାନ୍ଦ ବନ୍ଦ କରି ଶୋଇଯାଇଥିଲା। ସ୍ଥାନୀୟ ସାଗର ଅଞ୍ଚଳର ବସ୍‌ ଷ୍ଟାଣ୍ଡ୍‌ ନିକଟରେ ବାସ କରୁଥିବା ଏହି ଶିଶୁ ଜାରୌନ ଅଲ୍ଲୀଙ୍କ ମା, ବାପା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ଆପରାଧୀକ ମାମଲାରେ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଛି। ତେବେ ଜାରୌନ ମା’ ବିନା ଜେଲ୍‌ ପରିସରରେ ସାରା ରାତି ତାଙ୍କ ଦାଦାଙ୍କ ସହିତ କାନ୍ଦିଥିଲା। ଏହାଦେଖି ଜେଲର ନାଗେନ୍ଦ୍ର ସିଂ ଚୌଧୁରୀ ଜେଲ୍‌ ସୁପରିଟେଣ୍ଡେଣ୍ଟ୍‌ ସନ୍ତୋଷ ସିଂ ସୋଲାଙ୍କିଙ୍କୁ ଘଟଣାକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତେବେ ରାତିରେ ଜେଲ୍‌ରେ ସାକ୍ଷାତ୍‌ ସମୟ ଶେଷ ହୋଇଯାଇଥିବାରୁ ସେମାନେ ଏନେଇ ଅତିରିକ୍ତ ସ୍ବତନ୍ତ୍ର ବିଚାରପତିଙ୍କ ସହିତ ଯୋଗାଯୋଗ କରିଥିଲେ। ବିଚାରପତି ମା’ ସହିତ ଶିଶୁର ସାକ୍ଷାତ୍‌ କରାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।

Share