୪ ମାସରେ ଦବିଲା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା

କଣାସ,୧୧।୯(ସ୍ବ.ପ୍ର.): କଣାସ ବ୍ଲକର ପ୍ରତିଟି ରାସ୍ତାଗୁଡିକର ମାଟି ନମନୀୟ ହୋଇଥିବାରୁ ରାସ୍ତା ସବୁ ଚିରସ୍ଥାୟୀ ହୋଇ ରହିପାରୁନି। ଫଳରେ ଅଧିକାଂଶ ସମୟରେ ରାସ୍ତା ସବୁ ଅଳ୍ପଦିନ ମଧ୍ୟରେ ଖାଲଢ଼ିପ ହେବା ସହ ଖରାପ ହୋଇଯାଉଥିବାର ଦେଖାଯାଉଛି। ଏଭଳି ସମସ୍ୟା ବାରମ୍ବାର ହେଉଥିବାରୁ ଏହାକୁ ନଜରରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀ କଣାସ ବ୍ଲକଠାରୁ ପଶିଆପଡା ଦେଇ ରୁଢୁପୁର ପର୍ଯ୍ୟନ୍ତ ନୂତନ ପଦ୍ଧତି ଅନୁଯାୟୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ୬କିମି ୫୦୦ମିଟରର ଏହି ରାସ୍ତାକୁ ନିର୍ମାଣର ଚାରି ମାସ ନ ପୂରୁଣୁ ଅନେକ ସ୍ଥାନରେ ଦବିଯାଇଥିବାର ଦେଖିବାକୁ ମିଳିଛି। ରାସ୍ତାଟିକୁ ଅଧିକ ଅର୍ଥ ଖର୍ଚ୍ଚକରି ଭୁବନେଶ୍ୱରର ଆଇଆଇଟି ସଂସ୍ଥାର ନିର୍ଦ୍ଦେଶକ୍ରମେ ନିର୍ମାଣ କରାଯାଇଥିଲା। ଏତେ ଆଧୁନିକତାର ନିୟମ ଅନୁସାରେ ନିର୍ମାଣ ସତ୍ତ୍ୱେ ରାସ୍ତା ଦବିଯିବାରୁ ଯାତାୟତାରେ ବହୁ ଅସୁବିଧା ହେଉଛି। ରାସ୍ତା ନିର୍ମାଣ କରିଥିବା ଜନୈକ ଠିକାଦାରଙ୍କୁ ଏ ସମ୍ପର୍କରେ ପଚାରିବାରୁ କଣାସ ଅଞ୍ଚଳର ମାଟି ପଙ୍କୁଆ ଓ ଲୁଣିଆ ହୋଇଥିବାରୁ ଯେତେ ଯାହା କଲେ ମଧ୍ୟ ରାସ୍ତା ନଷ୍ଟ ହୋଇଯାଉଛି ବୋଲି କହିଛନ୍ତି। ଅପରପକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ ପଣ୍ଡା କୁହନ୍ତି, ଆଧୁନିକ ପ୍ରଯୁକ୍ତି ନିୟମରେ ହେବା ପରେ ବି ରାସ୍ତା କିଭଳି ଦବିଲା ସେନେଇ ଆମେ ପରୀକ୍ଷା କରୁଛୁ।

Share