୪ ମାସ ଧରି ସରୁନି ଡ୍ରେନ୍‌ କାମ: ମୁକୁଳା ଡ୍ରେନ୍‌ରେ ପଡ଼ି ବୃଦ୍ଧ ଗୁରୁତର

ଭଦ୍ରକ ଅଫିସ, ୨୧।୧୦- ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ନିକଟସ୍ଥ ନିର୍ମାଣାଧୀନ ଖୋଲା ଡ୍ରେନ୍‌ରେ ପଡ଼ି ସୋମବାର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦେଉଳା ଗ୍ରାମର କୁଶ ଜେନା(୭୦) ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚକୁ ପେନ୍‌ସନ ନେବାକୁ ଆସିଥିଲେ। ଉକ୍ତ ରାସ୍ତାରେ ଡ୍ରେନ୍‌ କାମ ଚାଲିଥିବା ଓ ଡ୍ରେନ୍‌ ମୁକୁଳା ଥିବାରୁ ତାହା ମଧ୍ୟରେ ସେ ପଡ଼ିଯାଇଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଡ୍ରେନ ଭିତରୁ ଉଠାଇ ବାହାରକୁ ଆଣି ଲୁଗାପଟା ସଫା କରି ଖାଦ୍ୟପେୟ ବ୍ୟବସ୍ଥା କରାଇଥିଲେ। ବୃଦ୍ଧ କୁଶ ହାତ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ନିଜ ପରିଚୟ ପ୍ରଥମେ ଦେଇପାରି ନ ଥିଲେ। ବ୍ୟାଗ୍‌ରେ ଥିବା ତାଙ୍କ ବ୍ୟାଙ୍କ ପାସ୍‌ବୁକ, ଆଧାରକାର୍ଡ, ଭୋଟର ପରିଚୟପତ୍ର ଓ କିଛି ଟଙ୍କା ଡ୍ରେନରେ ପଡ଼ି ଓଦା ହୋଇଯାଇଥିବାରୁ ତାକୁ ଶୁଖାଇବା ପରେ ବୃଦ୍ଧଙ୍କ ପରିଚୟ ସେମାନେ ଜାଣିପାରିଥିଲେ। ଏହାପରେ ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନାଥାଉ କି, ୪ ମାସ ଧରି ଡ୍ରେନ କାମ ସରୁ ନ ଥିବା କାରଣରୁ ଏହିଭଳି ଘଟଣା ଘଟୁଥିବା କୁହାଯାଇଛି। ସପ୍ତାହକ ତଳେ ଉକ୍ତ ଡ୍ରେନରେ ଏକ ଗାଈ ପଡ଼ି ଛଟପଟ ହେବା ଭଳି ଘଟଣା ମଧ୍ୟ ଲୋକେ ଦେଖିଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୪ ମାସ ଧରି ଲୋକେ ଯାତାୟାତ କରିପାରୁନାହାନ୍ତି। ଲାଇବ୍ରେରୀକୁ ମଧ୍ୟ ପାଠକମାନଙ୍କ ଯାତାୟାତରେ ଏହା ବାଧକ ସାଜିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ଅଧିକାରୀ ମଙ୍ଗଳବାର ମୁକୁଳା ଥିବା ଡ୍ରେନକୁ କଭର କରିଦିଆଯିବ ବୋଲି କହିଛନ୍ତି।