୪ ରାଜ୍ୟରେ ଖୋଲିଲାନି ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୯ା୬(ପି.ଟି.): ଅନ୍‌ଲକ୍‌ ୧ର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମନ୍ଦିର ଓ ଧର୍ମୀୟ କୀର୍ତ୍ତିରାଜି ଖୋଲିଛି। କେନ୍ଦ୍ରର ଅନୁମତି ସତ୍ତ୍ୱେ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡୁରେ ଧର୍ମୀୟ ସ୍ଥଳ ବନ୍ଦ ରହିଛି। ସେହିପରି ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲିନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସଂରକ୍ଷଣରେ ଥିବା ୮୨୦ ଉପାସନା ସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ରବିବାର ଅନୁମୋଦନ କରିଥିଲା। ତେବେ ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଅନୁମତି ଦେଇଥିଲା। କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ମହାରାଷ୍ଟ୍ରର ୬୫, ରାଜସ୍ଥାନର ୨୮, ଓଡ଼ିଶାର ୪୬, ତାମିଲନାଡୁର ୭୫ ଏବଂ ଜମ୍ମୁ-କଶ୍ମୀରର ୯ଟି ଉପାସନା ସ୍ଥଳ ବନ୍ଦ ରହିଛି। ସେହିପରି ଉତ୍ତରପ୍ରଦେଶର ଆଗ୍ରାଠାରେ ସୋମବାରଠାରୁ ଖୋଲିବାକୁ ଥିବା ୧୪ଟି କୀର୍ତ୍ତିରାଜିକୁ ବନ୍ଦ ରଖିବାକୁ ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ଲକ୍‌ଡାଉନ ଜୁନ୍‌ ୩୦ ପର୍ଯ୍ୟନ୍ତ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବାରୁ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଏବଂ ଅନ୍ୟ ପୁରାତନ ଶୈବପୀଠ, ଢେଙ୍କାନାଳର କପିଳାସ ପୀଠ ଆଦି ବନ୍ଦ ରହିଛି।
ଦୀର୍ଘ ଅଢ଼େଇ ମାସ ଧରି ବନ୍ଦ ରହିବା ପରେ ଦିଲ୍ଲୀର ଧାର୍ମିକ ସ୍ଥାନଗୁଡ଼ିକ ସୋମବାରଠାରୁ ଖୋଲିଛି। ପ୍ରଥମ ଦିନରେ ବହୁ ସଂଖ୍ୟାର ଶ୍ରଦ୍ଧାଳୁ ବିଭିନ୍ନ ଉପାସନା ସ୍ଥଳୀକୁ ଆସିଥିଲେ। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସାନିଟାଇଜେଶନ ଲାଗି ମନ୍ଦିର ଓ ଉପାସନା ସ୍ଥଳୀଗୁଡ଼ିକର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହଉଜ୍‌ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ଖୋଲିଥିବାବେଳେ ବହୁସଂଖ୍ୟାରେ ଭକ୍ତ ଦର୍ଶନ କରିବାକୁ ଆସିଥିଲେ। ସକାଳ ୮ଟା ୪୫ରେ ଛତ୍ରପୁର ମନ୍ଦିର କମ୍ପ୍ଲେକ୍ସ ଖୋଲିଥିବାବେଳେ ପ୍ରାରମ୍ଭରେ ୩୦୦ ଶ୍ରଦ୍ଧାଳୁ ଆସିଥିଲେ। ସକାଳ ୫ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ରହୁଥିବାରୁ ଦିନର ପ୍ରଥମ ନମାଜ ପାଇଁ ମସ୍‌ଜିଦ ଖୋଲି ନ ଥିଲା। ଅପରାହ୍ଣ ୧ଟାରେ ଦ୍ୱିତୀୟ ନମାଜ ବେଳକୁ ବହୁସଂଖ୍ୟାରେ ଲୋକ ଉପସ୍ଥିତ ହୋଇଥିଲେ। ସେହିପରି ବାଙ୍ଗଲା ସାହିବ, ସିସ୍‌ ଗଞ୍ଜ ଏବଂ ରାକବଗଞ୍ଜ ଗୁରୁଦ୍ୱାରାରେ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ଦେଖିବାକୁ ମିଳିଥିଲା।

Share