୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଜଣେ ଗିରଫ

ବାସୁଦେବପୁର, ୧୭।୧୦ (ଡି.ଏନ.ଏ.)- ବାସୁଦେବପୁରସ୍ଥିତ ବଂଶୀପାଟଣା ଗ୍ରାମରେ ଥିବା କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଅନାଦି ଚରଣ ବେହେରା ନାମକ ଜଣେ କର୍ମଚାରୀଙ୍କୁ ଚାକିରି ସ୍ଥାୟୀ କରାଇଦେବା ନଁାରେ ୪ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି। କର୍ମଚାରୀ ଅନାଦିଙ୍କ ଅଭିଯୋଗ କ୍ରମେ ବାସୁଦେବପୁର ଥାନାରେ ମାମଲା(ନଂ.୩୨୭/୧୯) ରୁଜୁ କରାଯାଇଛି। ଘଟଣାର ତଦନ୍ତ କରି ପୋଲିସ ଉକ୍ତ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା ସଭାପତି ସରୋଜ ନାୟକଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସରୋଜଙ୍କ ଘର ବାସୁଦେବପୁର ପୌରପାଳିକାର ସୁରେଶ୍ୱରପୁର ଗ୍ରାମରେ।
ଅନାଦି ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉକ୍ତ ମହାବିଦ୍ୟାଳୟର କିରାଣି ଭାବେ ୨୦୦୭ ଏପ୍ରିଲ ୨୬ରେ ଚିଠି ନଂ.୧୦୩/୦୭ରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଏହି ନିଯୁକ୍ତିପତ୍ର ମୁତାବକ ସେ ପରଦିନ ଏପ୍ରିଲ ୨୭ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏହି ପଦରୁ ବାହାର କରାଯାଇ ଅନ୍ୟ ଜଣେ ଯୁବତୀଙ୍କୁ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ଏହି ପଦବୀରୁ ବାଦ୍‌ ଦିଆଯିବା କ୍ଷେତ୍ରରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ତତ୍କାଳୀନ ସଭାପତି ସରୋଜଙ୍କ ଭୂମିକା ଥିବା ସେ ଜାଣିବାକୁ ପାଇଥିଲେ। ଏହି ପଦବୀରେ ତାଙ୍କୁ ପୁନର୍ବାର ଅବସ୍ଥାପିତ ସହ ସ୍ଥାୟୀ କରାଇଦେବା ପାଇଁ ସେମାନେ ୪ ଲକ୍ଷ ଟଙ୍କା ଦାବି କରିଥିଲେ। ସେମାନେ ତାଙ୍କଠାରୁ ଟଙ୍କା ନେଇଯାଇ ଠକିଛନ୍ତି। ପରେ ସେ ସେମାନଙ୍କୁ ଟଙ୍କା ଫେରାଇବାକୁ କହିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହାଛଡ଼ା ଚାକିରି ଦେବା ଆଳରେ ସେମାନେ ଜିଲା ଓ ଜିଲା ବାହାରର କେତେକ ଲୋକଙ୍କଠାରୁ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସରୋଜଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ପୋଲିସ କହିଛି।