୪ ଲକ୍ଷ ଲୁଟ୍‌ ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବଡ଼ବିଲ,୧୫।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ୍‌ ପାୱାର ଲିଃ କାରଖାନାର ପାର୍କିଂସ୍ଥଳୀର ପରିବହନକାରୀ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟ ସଂସ୍ଥା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪ ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ନ୍ୟାଶନାଲ ଟ୍ରାନ୍ସପୋର୍ଟର କର୍ମଚାରୀ ଗିରିଧାରୀ ଶର୍ମା।
ସୂଚନା ଯେ, ଶ୍ରୀଜଗନ୍ନାଥ ଷ୍ଟିଲ କାରଖାନାରୁ ପରିବହନ ନିମନ୍ତେ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟର କର୍ମଚାରୀମାନେ କାରଖାନା ନିକଟସ୍ଥ ପାର୍କିଂ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଭାରୀଯାନଗୁଡିକୁ ଡେସପାଚ୍‌ ଅର୍ଡର ଓ ଚାଲାଣ ଦେଉଥିଲେ। ଏହି ସମୟରେ ନ୍ୟାଶନାଲ ଟ୍ରାନ୍ସପୋର୍ଟର କର୍ମଚାରୀ ଗିରିଧାରୀ ଶର୍ମା ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ଗିରିଧାରୀ ଏକ ଲୁହା ରଡ୍‌ରେ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟର କର୍ମଚାରୀ ସତ୍ୟାନନ୍ଦ ରାଉତ ଓ ଅନ୍ୟ ଜଣେ କର୍ମଚାରୀ ବାପୁଜୀ ପାହାଡ଼ିଙ୍କୁ ମାଡ଼ ମାରି ୪ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟି ନେଇଥିବା ଥାନାରେ ଏତଲା ହୋଇଥିବା ଜଣାପଡିଛି। ଏତଲା ଅନୁଯାୟୀ, ବଡ଼ବିଲ ଥାନା କେସ ନଂ ୧୭୮/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଗିରିଧାରୀଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।