Categories: ଗଞ୍ଜାମ

୪ ଲୁଟେରା ଗିରଫ, ୧୮ ବାଇକ୍‌ ଜବତ

କବିସୂର୍ଯ୍ୟନଗର,୭ା୭-କବିସୂର୍ଯ୍ୟନଗର ଥାନା ପୋଲିସ ୧୮ଟି ବାଇକ୍‌ ଓ ଏକ ବୋଲେରୋ ଜବତ କରିବା ସହ ୪ଜଣ ଲୁଟେରାଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଆଠଗଡ଼ର ସନ୍ତୋଷ ପୋଲାଇ, ନିରଞ୍ଜନ ସେନାପତି, ପାଇକଯମୁନାର ଶିଶିର ଭୂୟାଁ ଓ ବାଣପୁର ଥାନା କୁଲେଇ ଗ୍ରାମର ସନ୍ତୋଷ ଜଗଦେବ। ଏ ନେଇ ପୋଲିସ ନଂ. ୧୫୬/୧୯ ରେ ମାମଲା ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ କୋଦଳା ଜେଲକୁ ପଠାଇ ଦିଆଯାଇଥିବା ଅତିରିକ୍ତ ଗଞ୍ଜାମ ଜିଲା ଆରକ୍ଷୀ ଅଧିକାରୀ ପତିତପାବନ ଚୌଧୁରୀ କହିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ କବିସୂର୍ଯ୍ୟନଗର ଥାନା ପକ୍ଷରୁ ବୁଢ଼ାମ୍ବଠାରେ ବ୍ଲକିଂ କରି ଚେକିଂ ଚାଲିଥିଲା। ଆଠଗଡ଼ର ସନ୍ତୋଷ ନିଜ ବାଇକର କାଗଜପତ୍ର ନ ଦେଖାଇବାରୁ ପୋଲିସ ସନ୍ଦେହ କରିଥିଲା। ପରେ ତାଙ୍କ ଘରୁ ୫ଟି ବାଇକ୍‌ ସହ ଏକ ଧଳା ବୋଲେରୋ ଜବତ କରି ତାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଅନ୍ୟ ଦୁଇ ସହଯୋଗୀ ଶିଶିର ଓ ନିରଞ୍ଜନଙ୍କ ନଁା କହିଥିଲେ। ସେମାନଙ୍କ ଘରୁ ମଧ୍ୟ ୧୦ଟି ଚୋରି ବାଇକ୍‌ ଜବତ ହୋଇଥିଲା। ୩ ଜଣ ଅଭିଯୁକ୍ତ ଜଗଦେବଠାରୁ ବାଇକ୍‌ କିଣିଥିବା ସ୍ବୀକାର କରିଛନ୍ତି । ଜଗଦେବଙ୍କ ଘରୁ ୩ଟି ଚୋରି ବାଇକ୍‌ ପୋଲିସ ଜବତ କରିଛି। ବାଇକ୍‌ ର଼୍ୟାକେଟ ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱରରୁ ଚୋରି କରି ଗଞ୍ଜାମରେ ବିକ୍ରି କରିଥିବା ପୋଲିସ ଜାଣିପାରିଛି। ହଜିଯାଇଥିବା ବାଇକ୍‌ ମାଲିକ ନିଜର କାଗଜପତ୍ର ଦେଖାଇ
ବାଇକ୍‌ ନେଇପାରିବେ ବୋଲି ଆଇଆଇସି କହିଛନ୍ତି।