୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) – ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। ଏହି ଶିଶୁମାନେ ସେଠାରେ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡିଛି ଗଜପତି ଜିଲା ରାୟଗଡ ବ୍ଲକ ଗଣ୍ଡାହାତୀ ଅଞ୍ଚଳର ଜଣେ ମଧ୍ୟସ୍ଥିଙ୍କ ଦ୍ୱାରା ପ୍ରଲୋଭିତ ହୋଇ ସେହି ଅଞ୍ଚଳର ୪ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣ ବିହାର ଯାଇଥିଲେ। ବିହାରର ଗୟା ଜିଲା ଅନ୍ତର୍ଗତ ମାନପୁରଠାରେ ଥିବା ଏକ ଜୋତା କାରଖାନାରେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।  ସେଠାରେ କିଛି ଦିନ କାର୍ଯ୍ୟ କରିବା ପରେ ସେମାନଙ୍କୁ ନିର୍ଯାତନା ମିଳିଥିଲା। ସୁଯୋଗ ଦେଖି ସମ୍ପୃକ୍ତ ନାବାଳକମାନେ ଏହି ଖବର ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାରର ଅଭିଭାବକମାନେ ଏହା ଜାଣିବା ପରେ ସେମାନେ ପାରଳାଖେମୁଣ୍ଡିସ୍ଥିତ ଚାଇଲ୍ଡଲାଇନର ସହଯୋଗ ଲୋଡିଥିଲେ ା ପାରଳାଖେମୁଣ୍ଡି ଚାଇଲ୍ଡଲାଇନ ପକ୍ଷରୁ ଏହି ସମସ୍ତ ତଥ୍ୟ ଜିଲା ଶିଶୁ କଲ୍ୟାଣ ସମିତିକୁ ଅବଗତ କରାଯାଇଥିଲା। ଶିଶୁ କଲ୍ୟାଣ ସମିତି ସମ୍ପୃକ୍ତ ୪ ନାବାଳକଙ୍କୁ  ସେଠାରୁ ଉଦ୍ଧାର କରିବା ପାଇଁ ଗୟା ଜିଲା ଶିଶୁକଲ୍ୟାଣ ସମିତି ସହ ଯୋଗାଯୋଗ କରିଛି। ଖୁବ୍‌ଶୀଘ୍ର ନାବାଳକମାନଙ୍କୁ ଗଜପତି ଜିଲାକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା କହିଛନ୍ତି ା