Categories: ଜାତୀୟ

୪ ସପ୍ତାହରେ ଅଯୋଧ୍ୟା ରାୟ: ସିଜେଆଇ କହିଲେ,ଚମତ୍କାର ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଯେକୌଣସି ପ୍ରକାରେ ଅକ୍ଟୋବର ୧୮ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷର ଓକିଲମାନଙ୍କୁ କହିଛନ୍ତି। ଯଦି ଆସନ୍ତା ୪ ସପ୍ତାହ ମଧ୍ୟରେ ଆମେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିପାରିବା ତେବେ ଏହା ଚମତ୍କାରୀ (ମିରାକଲ୍‌) ହେବ ବୋଲି ସେ କହିଛନ୍ତି।
ସିଜେଆଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି କରୁଛନ୍ତି। ଅଯୋଧ୍ୟାର ୨.୭୭ ଏକର ଜମିର ମାଲିକାନାକୁ ନେଇ ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ଦୀର୍ଘବର୍ଷ ହେଲା ବିବାଦ ରହିଆସିଛି। ଅଦାଲତ ଅଧିକାଂଶ ଯୁକ୍ତି ଅକ୍ଟୋବର ୪ ସୁଦ୍ଧା ଏବଂ ସମ୍ପୂର୍ଣ୍ଣ ଶୁଣାଣି ଅକ୍ଟୋବର ୧୪ରେ ଶେଷ କରିବାକୁ ଲକ୍ଷ୍ୟ ରଖିଥିତ୍ବାବେଳେ ୧୮ ତାରିଖକୁ ଚୂଡ଼ାନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି।
ଅଯୋଧ୍ୟା ଜମି ଦୁର୍ନୀତି ମାମଲାରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)ର ୨୦୦୩ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଥିବା ମୁସ୍‌ଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ସମୟ ବରବାଦ କରିଥିବାରୁ ଏଥିପାଇଁ କ୍ଷମା ମାଗିଛନ୍ତି। ଏହି ମାମଲାରେ ଏଏସ୍‌ଆଇର କର୍ତ୍ତୃତ୍ୱକୁ ନେଇ ପ୍ରଶ୍ନ କରିବା ସେମାନେ ଚାହାନ୍ତି ନାହିଁ ବୋଲି ମୁସଲମାନ ପକ୍ଷର ଓକିଲ ରାଜୀବ ଧାଓ୍ବନ ସାମ୍ବିଧାନିକ ପୀଠଙ୍କୁ କହିଥିଲେ। ଯଦି ଏଥିପାଇଁ ମାନ୍ୟବର ଅଦାଲତଙ୍କ ସମୟ ବରବାଦ ହୋଇଥାଏ ତେବେ ସେଥିପାଇଁ ଆମେ କ୍ଷମା ମାଗୁଛୁ ବୋଲି ଧାଓ୍ବନ କହିଥିଲେ। ସୂଚନାଯୋଗ୍ୟ ବୁଧବାର ମୁସଲମାନ ପକ୍ଷର ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଆରୋରା ଏଏସ୍‌ଆଇ ରିପୋର୍ଟକୁ ନେଇ ପ୍ରଶ୍ନ କରିଥିଲେ।

Share