Categories: ଖେଳ

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି ଚଳିତବର୍ଷର ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ସମସ୍ତ ମ୍ୟାଚ୍‌ ଦେଶର ୪ଟି ସହରରେ ଖେଳାଯିବ ବୋଲି ପିସିବି ଘୋଷଣା କରିଛି। ଫେବୃୟାରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ର ସମସ୍ତ ୩୪ ମ୍ୟାଚ୍‌ କରାଚୀ, ଲାହୋର, ରାଓ୍ବଲପିଣ୍ଡି ଓ ମୁଲତାନଠାରେ ଖେଳାଯିବ। ଲାହୋରଠାରେ ଫାଇନାଲ ସମେତ ୧୪ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୦୧୬ ପିଏସ୍‌ଏଲ ପ୍ରଥମ ସଂସ୍କରଣ ୟୁଏଇରେ ଖେଳାଯାଇଥିଲା। ପରବର୍ତ୍ତୀ ସଂସ୍କରଣ(୨୦୧୭)ର କେବଳ ଫାଇନାଲ ମ୍ୟାଚ୍‌ ପାକିସ୍ତାନରେ ଅନୁଷ୍ଠିତ ହୋଇଥିଲା। ୨୦୧୮ରେ ଦେଶରେ ୪ ନକଆଉଟ୍‌ ମ୍ୟାଚ୍‌ ଆୟୋଜନ ହୋଇଥିଲା ଓ ବଳକା ୟୁଏଇରେ ଖେଳାଯାଇଥିଲା। ଗତବର୍ଷ କରାଚୀ ୮ ମ୍ୟାଚ୍‌ ଆୟୋଜନ କରିଥିଲା। ମୋଟ ୩୬ ବିଦେଶୀ ଖେଳାଳି ଏଥର ଖେଳିବେ। ତାଲିକାରେ ଜାସନ ରୟ(ଇଂଲଣ୍ଡ), ଡେଲ ଷ୍ଟେଇନ(ଦକ୍ଷିଣ ଆଫ୍ରିକା), ଲିଣ୍ଡଲେ ସିମନ୍ସ(ଓ୍ବେଷ୍ଟଇଣ୍ଡିଜ)ଙ୍କ ଭଳି ଷ୍ଟାର ରହିଛନ୍ତି। ଉଲ୍ଲେଖଥାଉ, ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କୌଣସି ବିଦେଶୀ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ନ ଥିଲେ। ଉକ୍ତ ଘଟଣାରେ ଶ୍ରୀଲଙ୍କା ଦଳର ଅଫିସିଆଲ ଆହତ ହୋଇଥିବାବେଳେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବିଦେଶୀ ଦଳମାନଙ୍କ ବିଶ୍ୱାସ ଜିତିବା ପାଇଁ ପାକିସ୍ତାନ ବାରମ୍ବାର ପ୍ରୟାସ ଜାରି ରଖିଛି।

Share