୪ ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ୪ଟି ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ସ୍ଥାନରେ ପୂର୍ବରୁ ରହିଥିବା କ୍ରୀଡ଼ା ଭିତ୍ତିଭୂମିର ଉନ୍ନୟନ ସହ ଆନୁଷଙ୍ଗିକ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ଏହି ସ୍ଥାନଗୁଡିକ ହେଉଛି-ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା। ଏତଦ୍‌ ବ୍ୟତୀତ କୋରାପୁଟ ଜିଲାର ଜୟପୁରଠାରେ ମଧ୍ୟ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତାବ ରହିଛି।
ସାଧାରଣତଃ ପାରମ୍ପରିକ ବିଦ୍ୟାଳୟଗୁଡିକରେ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଇଥାଏ। କ୍ରୀଡ଼ାରେ ରୁଚି ରଖୁଥିବା ପିଲା ପାଠପଢ଼ାରୁ ସମୟ କାଢ଼ି ଖେଳିଥାଏ। ହେଲେ ତୃଣମୂଳରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସ୍ବତନ୍ତ୍ର ବିଦ୍ୟାଳୟର ପରିକଳ୍ପନା କରାଯାଇଛି। କ୍ରୀଡ଼ା ନିୟମ ତଥା ସାଧାରଣ ଜୀବନରେ ସର୍ବନିମ୍ନ ଆବଶ୍ୟକତା ଥିବା ଶିକ୍ଷା ଉପରେ ଏହି ବିଦ୍ୟାଳୟଗୁଡିକରେ ଗୁରୁତ୍ୱ ଦିଆଯିବ। ନିକଟରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରି ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କ ଧ୍ୟାନଆକର୍ଷଣ କରିଥିଲା। ସେହିପରି ଉଭୟ ପୁରୁଷ ଏବଂ ମହିଳା ହକିରେ ରାଜ୍ୟ ବହୁ ପ୍ରତିଭାଙ୍କୁ ଜନ୍ମ ଦେଇଛି। ଏହାକୁ ଦୃଷ୍ଟିରେ ରଖି ତୃଣମୂଳସ୍ତରରୁ ଖେଳାଳିଙ୍କ ପାଇଁ ହକି ଟର୍ଫ ପ୍ରସ୍ତୁତ କରାଯିବା ନେଇ ପଦକ୍ଷେପ ନିଆଯିବ। ପ୍ରାଥମିକଭାବେ ହକି ଖେଳୁଥିବା ୧୭ଟି ବ୍ଲକରେ ଟର୍ଫ ବ୍ୟବସ୍ଥା କରାଯିବ। ଜିଲାସ୍ତରୀୟ ହକି ଟୁର୍ନାମେଣ୍ଟ ମଧ୍ୟ ଟର୍ଫରେ କରିବା ଉପରେ ଗୁରୁତ୍ୱ ଦିଆଯିବ। ନିକଟରେ ରାଜ୍ୟ ହକି ପ୍ରଚାର ପରିଷଦ ଗଠନ କରାଯାଇଛି। ଏହି ପରିଷଦ ହକି କ୍ରୀଡ଼ା ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ରଭାବେ କାର୍ଯ୍ୟ କରିବ। ହକି ଖେଳି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିବା ପୂର୍ବତନ ତାରକାମାନେ ମଧ୍ୟ ଏହି ସବୁ କାର୍ଯ୍ୟରେ ପ୍ରତ୍ୟକ୍ଷଭାବେ ଜଡିତ ରହିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ର ଆଧାରରେ ରାଜ୍ୟ ବିଭିନ୍ନ ବରିଷ୍ଠ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ଏବଂ କ୍ରୀଡ଼ା ପ୍ରଶାସକମାନେ ବିଭିନ୍ନ କ୍ରୀଡାବାସ ଗସ୍ତ କରୁଛନ୍ତି। ତୃଣମୂଳରେ କ୍ରୀଡା ଭିତ୍ତିଭୂମି ଅବସ୍ଥା, ଉନ୍ନୟନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କିତ ମତାମତ ସଂଗ୍ରହ କରୁଛନ୍ତି। ଏହି ଗଠନଧର୍ମୀ ମତାମତକୁ ଆଧାର କରି କ୍ରୀଡ଼ାର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି।

Share