Categories: ଜାତୀୟ

୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ,୧୯ା୯: ୪ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି। ଫଳରେ ସର୍ବୋଚ୍ଚ ଅଦାଲତ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚତ୍ଛି। ପଦୋନ୍ନତି ପାଇଥିବା ବିଚାରପତିମାନେ ହେଲେ ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କ୍ରିଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ରବୀନ୍ଦ୍ର ଭଟ୍ଟ, ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟନ ଏବଂ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ହୃଷିକେଶ ରାୟ। ସୋମବାର ସେମାନେ ଶପଥ ନେବେ। ସେମାନଙ୍କ ପଦୋନ୍ନତି ନେଇ ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ବୋବ୍‌ଡେ, ଜଷ୍ଟିସ୍‌ ରମାନା, ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଜଷ୍ଟିସ୍‌, ଆର୍‌.ଏଫ. ନରିମାନଙ୍କ କଲେଜିୟମ ଅଗଷ୍ଟ ୨୮ରେ ସେମାନଙ୍କ ପଦୋନ୍ନତି ପାଇଁ ସୁପାରିସ୍‌ କରିଥିଲେ।
ଜଷ୍ଟିସ୍‌ କ୍ରିଷ୍ଣମୁରାରୀ ୧୯୮୪ରେ ଆଲ୍ଲାହାବାଦ ହାଇକୋର୍ଟ ବାର୍‌ରେ ଯୋଗଦେଇ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୦୪ ଜାନୁୟାରୀରେ ସେ ଉକ୍ତ ହାଇକୋର୍ଟର ବିଚାରପତି ହୋଇଥିଲେ। ୨୦୧୮ ଜୁନ୍‌ରେ ପଞ୍ଜାବ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ପଦୋନ୍ନତି ପାଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ୨୦୨୩ ଜୁଲାଇ ୮ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଘର କର୍ନାଟକର ମହୀଶୂର। ସେ ୨୦୦୪ରୁ ୧୫ ବର୍ଷ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ରହିବା ପରେ ଗତ ଏପ୍ରିଲରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ୨୦୧୩ ଅକ୍ଟୋବର ୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ ଚେନ୍ନାଇରେ ଦୀର୍ଘ ୨୩ ବର୍ଷ ଆଇନ ବ୍ୟବସାୟ କରିବା ପରେ ୨୦୦୬ ଜୁଲାଇରେ ମାଡ୍ରାସ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ। ଗତ ଜୁନ୍‌ ୨୨ରେ ତାଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା। ସେ ସୁପ୍ରିମକୋର୍ଟରେ ୨୦୨୩ ଜୁନ୍‌ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ଜଷ୍ଟିସ୍‌ ହୃଷିକେଶ ରାୟ ୨୦୦୬ରେ ଗୌହାଟୀ ହାଇକୋର୍ଟ ବିଚାରପତି ଓ ୨୦୧୮ରେ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ସୁପ୍ରିମକୋର୍ଟରେ ତାଙ୍କର କାର୍ଯ୍ୟକାଳ ୨୦୨୫ ଫେବୃୟାରୀ ୧ ପର୍ଯ୍ୟନ୍ତ ରହିବ।

Share