Categories: ବାଣିଜ୍ୟ

୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ

ମୁମ୍ବାଇ,୧୩-୧: ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ୪.୭ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ କରିଛନ୍ତି। ଏହା ଶିଳ୍ପ ସ୍ତରର ମୋଟ ଅନାଦାୟ ଋଣ(ଏନ୍‌ପିଏ)ର ପ୍ରାୟ ୮୨% ବୋଲି ଏକ ରିପୋର୍ଟରେ କୁହାଯାଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ କୃଷି କ୍ଷେତ୍ର ଋଣର ଏନ୍‌ପିଏ ୧୨.୪% ବଢି ୧.୧ ଲକ୍ଷ କୋଟି ଟଙ୍କା ଛୁଇଁଥିବା ନଜରକୁ ଆସିଛି। ସିଷ୍ଟମରେ ଏବେ ୮.୭୯ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ରହିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ୫.୬୬ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ସିଷ୍ଟମରେ ରହିଥିଲା। ଏଥିରେ କୃଷି ଋଣର ଅଂଶ ୮.୬% ବା ୪୮,୮୦୦ କୋଟି ଟଙ୍କା ରହିଥିଲା ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ରେ ମୋଟ ଏନ୍‌ପିଏ କ୍ଷେତ୍ରରେ କୃଷି ଋଣର ଅଂଶ ୧୨.୪% ବା ୧.୧ ଲକ୍ଷ କୋଟି ଟଙ୍କା ରହିଛି। ମାତ୍ର ଗତ ଦଶନ୍ଧିରେ ମାଫ ହୋଇଥିବା ମୋଟ କୃଷି ଋଣ ୩.୧୪ ଲକ୍ଷ କୋଟି ଟଙ୍କାକୁ ଯୋଡିଲେ ଏହାର ମୋଟ ପରିମାଣ ୪.୨ ଲକ୍ଷ କୋଟି ଟଙ୍କା ହେବ। ଯଦି ମହାରାଷ୍ଟ୍ରର ୪୫ରୁ ୫୧ ହଜାର କୋଟି ଟଙ୍କାର ଋଣ ଏଥିରେ ଯୋଡି ଦିଆଯାଏ ଏହା ୪.୭ ଲକ୍ଷ କୋଟି ଟଙ୍କା ହେବ। ଆର୍ଥତ୍କ ବର୍ଷ ୨୦୧୪-୧୫ରେ ୧୦ ବଡ ରାଜ୍ୟ ୩,୦୦,୨୪୦ କୋଟି ଟଙ୍କାର ଋଣ ଛାଡ କରିଛନ୍ତି। ମନମୋହନ ସିଂଙ୍କ ଶାସନ ସମୟରେ ୨୦୦୭-୦୮ରେ କରାଯାଇଥିବା ଋଣ ଛାଡକୁ ଏହି ଧାରାରେ ଯୋଡି ଦିଆଯାଏ ତେବେ ଏହା ବୃଦ୍ଧି ଘଟି ୪ ଲକ୍ଷ କୋଟି ହୋଇଯିବ। ୨୦୧୭ ପରେ ୨ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କୃଷି ଋଣ ଛାଡ କରାଯାଇଛି।
୨୦୧୪-୧୫ ଆନ୍ଧ୍ର ପ୍ରଦେଶ ୨୪ ହଜାର କୋଟି ଟଙ୍କାର କୃଷି ଋଣ ଛାଡ କରିଛି। ସେହିଭଳି ତେଲେଙ୍ଗାନା ୧୭ ହଜାର କୋଟି ଟଙ୍କାର କୃଷି ଋଣ ଛାଡ ନେଇ ଘୋଷଣା କରିଥିଲା। ୨୦୧୬-୧୭ରେ ତାମିଲନାଡୁ ୫୨୮୦ କୋଟି ଟଙ୍କାର କୃଷି ଋଣ ଛାଡ କରିଛି। ୨୦୧୭-୧୮ରେ ମହାରାଷ୍ଟ୍ର ୩୪,୦୨୦ କୋଟି, ଉତ୍ତର ପ୍ରଦେଶ ୩୬,୩୬୦ କୋଟି, ପଞ୍ଜାବ ୧୦ ହଜାର କୋଟି, କର୍ନାଟକ ୧୮ ହଜାର କୋଟି ଋଣ ଛାଡ କରିଛି। ଏହାବାଦ ୨୦୧୮-୧୯ରେ କର୍ନାଟକ ୪୪ ହଜାର କୋଟି, ରାଜସ୍ଥାନ ୧୮ ହଜାର କୋଟି, ମଧ୍ୟ ପ୍ରଦେଶ ୩୬,୫୦୦ କୋଟି, ଛତିଶଗଡ ୬,୧୦୦ କୋଟି ଏବଂ ମହାରାଷ୍ଟ୍ର ପ୍ରାୟ ୫୧ ହଜାର କୋଟି ଟଙ୍କାର ଋଣ ଛାଡ କରିଛନ୍ତି।

Share