Categories: ମେଟ୍ରୋ

୫ଜଣଙ୍କୁ ନୃତ୍ୟାୟନା ଗୌରବ ସମ୍ମାନ

ଭୁବନେଶ୍ୱର, ୧୫।୭(ବ୍ୟୁରୋ) : ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ‘ନୃତ୍ୟାୟନା’ ରବିବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସିପି ବିଷ୍ଣୁ ମୋହନ ପାତ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୃତ୍ୟଗୁରୁ ଶରତଚନ୍ଦ୍ର ଦାସ, ଗୁରୁ ସୁହାଗ ନଳିନୀ ଦାସ, ସାମାଜିକ କର୍ମୀ ସସ୍ମିତା ଦାସ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୫ଜଣ ବ୍ୟକ୍ତିଙ୍କୁ ନୃତ୍ୟାୟନା ଗୌରବ ସମ୍ମାନ ୨୦୧୯ରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ନୟାଗଡ଼ ଜିଲା ଭାପୁର ତହସିଲଦାର ଡ. ସୁନିତା ଜେନା, ମାହାରୀ ନୃତ୍ୟଗୁରୁ ଚନ୍ଦ୍ରିକା ରଣା, ଯୁବ ଖବରଦାତା ସତ୍ୟନାରାୟଣ ରାଉତରାୟ, ଯୁବ ସାମାଜିକ କର୍ମୀ ବିନ୍ଦାସ ଚିନୁ ଏବଂ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ସବିତାମଞ୍ଜରୀ ସାହୁ। ଏହି ଅବସରରେ ନୃତ୍ୟାୟନା ଅନୁଷ୍ଠାନର ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଉତ୍କଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ଏହି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଏଠାରେ ଶତାଧିକ ଛାତ୍ରୀଛାତ୍ର ଓଡ଼ିଶୀ ନୃତ୍ୟ ଶିକ୍ଷା ନେଉଛନ୍ତି ବୋଲି ନୃତ୍ୟଗୁରୁ ସୁନିତା ମହାରଣା ସୂଚନା ଦେଇଥିଲେ।

Share