Categories: ବାଣିଜ୍ୟ

୫ଜି ସ୍ପେକ୍ଟ୍ରମ ଦେୟ ପୈଠକଲେ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୯।୮:ଦେଶବାସୀଙ୍କୁ ନୂତନ ଏବଂ ହାଇସ୍ପିଡ୍‌ ତରଙ୍ଗ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମ କାର୍ଯ୍ୟ ଟେଲିକମ୍‌ ମନ୍ତ୍ରଣାଳୟ ମାଧ୍ୟମରେ ଶେଷ କରିଥିଲେ। ଏପରିକି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ୫ଜି ସ୍ପେକ୍ଟ୍ରମ ଦେୟ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଗୁରୁବାର ପୈଠ କରିଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିଶେଷକରି ପ୍ରଥମ କିସ୍ତିରେ ୫ଜି ସ୍ପେକ୍ଟ୍ରମ ଦେୟ ବାବଦକୁ ସରକାର ପ୍ରାୟ ୧୭,୮୭୬ କୋଟି ଟଙ୍କା ପାଇଛନ୍ତି। ଅପରପକ୍ଷରେ ୫ଜି ସ୍ପେକ୍ଟ୍ରମ ବାବଦରେ ମୋଟ ଦେୟକୁ ରିଲାଏନ୍ସ ଜିଓ, ଭୋଡାଫୋନ ଆଇଡିଆ ୨୦ଟି କିସ୍ତିରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତୀ ଏୟାରଟେଲ ଏକାଥରକେ ୮୩୨୧.୪ କୋଟି ଟଙ୍କାର ଦେୟ ପ୍ରଦାନ କରି ଆସନ୍ତା ୪ ବର୍ଷର କିସ୍ତି ପ୍ରଦାନ କରିଥିବା ଜଣାପଡ଼ିଛି।
ସେହିଭଳି ପ୍ରଥମ କିସ୍ତିରେ ଜିଓ ୭୮୬୪.୭୮ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭୋଡାଫୋନ-ଆଇଡିଆ ୧୬୭୯.୯୮ କୋଟି ଏବଂ ଆଦାନୀ ଡାଟା ନେଟ୍‌ଓ୍ବାର୍କ ୧୮.୯୪ କୋଟି ଟଙ୍କାର ଦେୟ ଟେଲିକମ୍‌ ବିଭାଗ ନିକଟରେ ପୈଠ କରିଛି।
ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା। ଏହି ନିଲାମରୁ ସରକାର ମୋଟ ୧ ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ନିଲାମର ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଅଗଷ୍ଟ ୧୬ ସୁଦ୍ଧା ସ୍ପେକ୍ଟ୍ରମ ଅର୍ଥ ପ୍ରଦାନ କରିବାକୁ ନିଲାମ ଜିତିଥିବା ୪ ଟେଲିକମ୍‌ କମ୍ପାନୀଙ୍କୁ ଚିଠି ଜରିଆରେ ଅବଗତ କରାଯାଇଥିଲା। ଟେଲିକମ ମନ୍ତ୍ରଣାଳୟର ଉକ୍ତ ଚିଠି ଅନୁସାରେ ତାରିଖ ପୂର୍ବରୁ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ପ୍ରଥମ କିସ୍ତିର ଦେୟ ପ୍ରଦାନ କରିଛନ୍ତି। ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ, ଆଦାନୀ ଡାଟା ନେଟ୍‌ଓ୍ବାର୍କ ବ୍ୟତୀତ ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଓ ପ୍ରାୟ ୮୮ ହଜାର (୮୭,୯୪୬.୯୩) କୋଟି ଟଙ୍କାର ସ୍ପେକ୍ଟ୍ରମ ହାସଲ କରିଥିବା ବେଳେ ଭାରତୀ ଏୟାରଟେଲ ୪୩ ହଜାର (୪୩,୦୩୯.୬୩) କୋଟି ଟଙ୍କାରେ ମୋଟ ୧୯,୮୬୭.୮ ମେଗାହର୍ଜର ସ୍ପେକ୍ଟ୍ରମ କ୍ରୟ କରିଥିଲା। ସେହିପରି ଭୋଡାଫୋନ ୧୮,୭୮୬.୨୫ ଏବଂ ଆଦାନୀ ଡାଟା ନେଟ୍‌ଓ୍ବାର୍କ ପ୍ରାୟ ୨୧୨ ( ୨୧୧.୮୬) କୋଟି ଟଙ୍କାରେ ୪୦୦ ମେଗାହର୍ଜର ସ୍ପେକ୍ଟ୍ରମ କିଣିଥିଲା।

Share