୫ଦିନରେ ଦୋକାନ ବନ୍ଦ ପାଇଁ ପ୍ରତିଶ୍ରୁତି

ହାତିଓଟ,୯ା୭-ପୋଲସରା ବ୍ଲକ ଜକର ପଞ୍ଚାୟତ ଜକର ଗ୍ରାମରେ ଚାଲିଥିବା ମଦବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ୨୭ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମଦ ବନ୍ଦ ପାଇଁ ପୋଲସରା ବିଡିଓଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ରବିବାର ଗ୍ରାମର ଗୋପିନାଥ ମନ୍ଦିରଠାରେ ପୁଣି ହଜାର ହଜାର ମହିଳା ଏକତ୍ରିତ ହୋଇ ମଦ ବନ୍ଦ ପାଇଁ ଆଲୋଚନା କରି ସ୍ଥାନିୟ ବିଧାୟକଙ୍କୁ ଭେଟି ସହଯୋଗ କରିବାକୁ ଦାବି କରିଥିଲେ। ସୋମବାର କବିସୂର୍ଯ୍ୟନଗର ଥାନାକୁ ଯାଇ ଭାରପ୍ରାପ୍ତ ଅଧିକାରୀ ତପନ କୁମାର ପତିଙ୍କୁ ଭେଟି ଗ୍ରାମରେ ମଦ ବନ୍ଦ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସେଠାରୁ ଯାଇ ଗଞ୍ଜାମ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇ ଗଁାକୁ ଫେରିଥିଲେ। ଗଁାରେ ପୋଲିସ ଉପସ୍ଥିତିରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ। ଉତ୍ତ୍ୟକ୍ତ ମହିଳା ମଦ ବିକ୍ରି ହେଉଥିବା ସରକାରୀ ଦୋକାନ ଓ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇ ଦେଇଥିଲେ। ଅଘଟଣ ଆଶଙ୍କାରେ ପୋଲିସ ପହଞ୍ଚତ୍ ଗ୍ରାମରେ ମଦ ବିକ୍ରି କରୁଥିବା କେତେଜଣଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି। ପରେ ଆଇଆଇସିଙ୍କ ଉପସ୍ଥିତିରେ ଗ୍ରାମରେ ଏକ ବୈଠକ କରି ସରପଞ୍ଚଙ୍କୁ ବୈଠକସ୍ଥଳକୁ ଡାକିଥିଲେ। ସରପଞ୍ଚ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିନିଧି ଶଙ୍କର ସେଠୀ ପହଞ୍ଚତ୍ ୫ଦିନ ମଧ୍ୟରେ ମଦ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ମହିଳାମାନେ ତାଲା ଖୋଲିଥିଲେ।

Share