୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳା ଶରଧାବାଲିଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି ପୁସ୍ତକ ମେଳାରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା ସମେତ କୋଲକାତା, ଦିଲ୍ଲୀ ପ୍ରଭୃତି ଅଞ୍ଚଳରୁ ୧୫୦ରୁ ଊଦ୍ଧର୍‌ବ ପ୍ରକାଶନ ସଂସ୍ଥା ଯୋଗଦେବେ। ପ୍ରତ୍ୟେକ ସନ୍ଧ୍ୟାରେ ସାହିତ୍ୟ ଆସର, କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଜନା ରହିଛି । ମେଳା କମିଟିର ମୁଖପତ୍ର ବହି ବିଚିତ୍ରା ଉନ୍ମୋଚିତ ହେବ ।
ପ୍ରତିଦିନ ଅପରାହ୍ନରେ କୁଇଜ ମାଷ୍ଟର ଚନ୍ଦ୍ରବିଜୟ ମିଶ୍ରଙ୍କ ଦ୍ବାରା ବିଦ୍ୟାର୍ଥୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା କରାଯିବ। ଚଳିତ ବର୍ଷ ସାହିତି୍ୟକ ସୁବିଦ୍ୟା ଦେବୀ, ଗବେଷକ ଡ.ସୁନୀଲ ରଥ, ବିଜୟ ପ୍ରକାଶନ ସଂସ୍ଥା ଏବଂ ରାଜକିଶୋର ମିଶ୍ରଙ୍କୁ ଆଜୀବନ ସାରସ୍ବତ ସେବା ସମ୍ମାନ ପ୍ରଦାନ କରାଯିବ ବୋଲି ଶୁକ୍ରବାର ସଙ୍ଗୀତ ମହାବିଦ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ଚକ୍ରଧର ମହାପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଭାଷାବିତ୍‌ କୈଳାସ ଟିକାୟତରାୟ, କାର୍ଯ୍ୟକାରୀ ସମ୍ପାଦକ ରାଜକିଶୋର ମିଶ୍ର, ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share