ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କଲେ। ସ୍ବପ୍ନ ଦେଖିବାରେ ଆପତ୍ତି ନାହିଁ, ତେବେ କିଭଳି ଭାବେ ଏହାକୁ ହାସଲ କରିହେବ ସେ ସମ୍ପର୍କରେ ବଜେଟରେ ବିସ୍ତାରିତ ରୂପରେଖ ଦେଖିବାକୁ ମିଳିଲାନି। ଯେଭଳି ଛବି ଦେଖିବାକୁ ମିଲିଲା ସେଥିରେ ଏହି ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ ବୋଲି ମନେ ହେଉଛି। ତଥାପି ଏହି ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ସମ୍ମୁଖରେ ବହୁ ଆହ୍ବାନ ରହିଛି, ଏହା କୁହାଯାଇପାରେ।
ସରକାରଙ୍କ ବଜେଟ ଓ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ, ୨୦୨୪-୨୫ ସୁଦ୍ଧା ସରକାର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ୨.୭ ଲକ୍ଷ କୋଟି ଡଲାର ଅର୍ଥନୀତି ସହ ଭାରତ ବର୍ତ୍ତମାନ ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଛି। ଚଳିତବର୍ଷ ଏହା ବ୍ରିଟେନକୁ ପଛରେ ପକାଇ ୫ମ ସ୍ଥାନକୁ ଉଠି ଆସିବ। ତେବେ ୨.୭ ଲକ୍ଷ କୋଟି ଡଲାରରୁ ୫ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ଅଭିଯାନ ପାଇଁ ୮୫% ହାରରେ ଆଉଟପୁଟ ବୃଦ୍ଧି ହେବା ଆବଶ୍ୟକ। ଅର୍ଥାତ୍ ବାର୍ଷିକ ୧୩% ହାରରେ ଏହା ହେବା ଆବଶ୍ୟକ। ୪%ର ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଦେଶର ଅର୍ଥନୀତି ଅଭିବୃଦ୍ଧି ବାସ୍ତବରେ ବାର୍ଷିକ ୯% ହାରରେ ହେବା ଆବଶ୍ୟକ। ଅନ୍ୟପକ୍ଷରେ ସର୍ଭେ ରିପୋର୍ଟ କହୁଛି, ୮% ହାରରେ ଅଭିବୃଦ୍ଧି ହେଲେ ହିଁ ଆମେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚତ୍ପାରିବା। ତେବେ ଏଭଳି ଅଭିବୃଦ୍ଧି ହାର ପୂର୍ବରୁ ଏସିଆର ଦୁଇଟି ଅର୍ଥନୀତି ଚାଇନା ଓ ଦକ୍ଷିଣ କୋରିଆ ହାସଲ କରିଥିଲେ। ସର୍ଭେ ରିପୋର୍ଟରେ ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଏହାଦ୍ୱାରା ବିକାଶ ଆସିବ ଓ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଏଥିରେ କୁହାଯାଇଛି। ତେବେ ନିବେଶ ବୃଦ୍ଧି ପାଇଁ ବଜେଟରେ ସେଭଳି କୌଣସି ରୋଡମ୍ୟାପ୍ ପ୍ରସ୍ତୁତ କରାଗଲା ନାହିଁ। ଅର୍ଥନୀତିର ଅଭିବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ସରକାର ଭିତ୍ତିଭୂମି ବିକାଶ ଲାଗି ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିବା ବେଳେ ପିପିପି ମୋଡରେ ନିବେଶ ବଢ଼ାଇବାକୁ ବଜେଟରେ ଉଲ୍ଲେଖ କରିଛନ୍ତି। ପୂର୍ବର ଅଭିଜ୍ଞତା କହୁଛି, ସରକାରଙ୍କ ସହ ସହଭାଗୀତା ପ୍ରତି କର୍ପୋରେଟ ଜଗତ ସେତେଟା ଉତ୍ସାହୀ ନୁହେଁ। ଏହାଛଡ଼ା ନିବେଶ କେଉଁ ବାଟେ ଆସିବ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଏଭଳି ସ୍ଥିତିରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଆବଶ୍ୟକ ଅର୍ଥ କେଉଁଠୁ ଆଣିବେ ସରକାର ସେ ସମ୍ପର୍କରେ ବଜେଟରେ ସ୍ପଷ୍ଟ କଲେ ନାହିଁ। ଅନ୍ୟପକ୍ଷରେ ନିବେଶ ବୃଦ୍ଧି ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ସ୍ଥିତି ବିଗିଡିବା ନିଶ୍ଚିତ। କିନ୍ତୁ ବଜେଟରେ ଏହା ଜିଡିପିର ୩.୩%ରେ ରଖାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା। ଏହା କିଭଳି ସମ୍ଭବ ହେବ, ସେ ସମ୍ପର୍କରେ ସରକାର ଚୁପ୍।
ବିତ୍ତୀୟ ଏକତ୍ରୀକରଣ କଥା କହିବା ଭିନ୍ନ କଥା, କିନ୍ତୁ ଅର୍ଥନୀତି ଅଭିବୃଦ୍ଧି ଦ୍ରୁତତର କରିବାକୁ ହେଲେ ଏହି ପଥରେ ଚାଲିବା ସେତେଟା ସହଜ ନୁହେଁ। ବିଶାଳ ନିବେଶ ଲାଗି ସରକାର ଅର୍ଥ କେଉଁଠୁ ଆଣିବେ ସେ ସମ୍ପର୍କରେ ବଜେଟରେ ତଥ୍ୟ ଦିଆଗଲା ନାହିଁ। ଟିକସ ଆଦାୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର କରିବା ତଥା ଲାଭାଂଶରୁ ମିଳୁଥିବା ଅର୍ଥ ସରକାରଙ୍କ ମୁଖ୍ୟ ଆୟ କୁହାଯାଇପାରେ। ଟିକସ ଆଦାୟ କ୍ଷେତ୍ରରେ ପୂର୍ବବର୍ଷର ଫଳାଫଳ ସେତେଟା ଉତ୍ସାହଜନକ ନୁହେଁ। କାରଣ ଗତ ଆର୍ଥିକ ବର୍ଷରେ ଟିକସ ଆଦାୟ ମାତ୍ର ୬% ବଢ଼ିଛି। ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକତା ଥିଲା ବେଳେ ସରକାର ଏକ୍ଷେତ୍ରରେ ଆବଣ୍ଟନ ମାତ୍ରା ସାମାନ୍ୟ ବଢ଼ାଇବାରୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଯିବାର ଲକ୍ଷ୍ୟ ସହଜରେ ହାସଲ ହୋଇଯିବ ଏହା ଭାବିବା ଭୁଲ୍ ହେବ।