୫ଶହ ପରିବାରକୁ ଖାଦ୍ୟ, ମାସ୍କ ବଣ୍ଟନ

ରୂପ୍‌ସା, ୨।୫(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ସମଗ୍ର ଦେଶ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସମେତ ବହୁ ବେସରକାରୀ ସଂସ୍ଥା ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଅବଦୁଲ ଅମୀନ ଖାଁ ଶୁକ୍ରବାର ରୂପ୍‌ସା ଅଞ୍ଚଳର ୫ଶହ ପରିବାରଙ୍କୁ ନିଜସ୍ବ ପାଣ୍ଠିରୁ ଚୂଡ଼ା, ଗୁଡ଼, ବିସ୍କୁଟ, ଅଟା, ଆଳୁ, ପିଆଜ ଆଦି ଖାଦ୍ୟ ସାମଗ୍ରୀ ସମେତ ସାବୁନ ଓ ମାସ୍କ ଆଦି ବଣ୍ଟନ କରିଛନ୍ତି। ଏହି ସମୟରେ ସମାଜସେବୀ ସଲିମ ଖାଁ, ପ୍ରଶାସନିକ ଅଧିକାରୀ ବିନୋଦ ସିଂ ଶେଖାୱତ, ସରପଞ୍ଚ ସଞ୍ଜୟ ସେଠୀ, ଯୁବନେତା ଗୟାଧର ପ୍ରଧାନ, ମନୋରଞ୍ଜନ ପ୍ରଧାନ ଓ ଦେବବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।