୫ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ନୂଆପଡା ଅଫିସ,୧୧ା୪: ଲକ୍‌ଡାଉନ ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ସରକାର ବିକଳ୍ପ ପନ୍ଥା ମାନ ଅବଲମ୍ବନ କରୁଛନ୍ତି। ନୂଆପଡା ଜିଲାର ୧୩୧ ପଞ୍ଚାୟତ ମଧ୍ୟରୁ ୧୧୦ ପଞ୍ଚାୟତରେ ପ୍ରତ୍ୟହ ୫ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ହେଲେ ବହୁ ଜାଗାରେ ଓଳିଏ ଖାଦ୍ୟ ଦିଆଯାଉଥିବାରୁ ଲୋକେ ଓଳିଏ ଭୋକ ଉପାସରେ ରହୁଥିବା ଅଭିଯୋଗ ହୋଇଛି। ସେହିଭଳି ବହୁ ପଞ୍ଚାୟତରେ ଶଯ୍ୟାଶାୟୀ ବରିଷ୍ଠ ନାଗରିକଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ଦାବି ହୋଇଛି। ବୋଡେନ ବ୍ଲକର ୧୫ ପଞ୍ଚାୟତରେ ୧୨୧୬ଜଣଙ୍କୁ, ଖଡିଆଳ ବ୍ଲକରେ ୨୮ରୁ ୨୬ପଞ୍ଚାୟତରେ ୧୭୫୦ଜଣ, କୋମନା ବ୍ଲକର ୩୨ ପଞ୍ଚାୟତରୁ ୩୧ରେ, ସିନାପାଲିର ୨୭ରୁ ୨୦ପଞ୍ଚାୟତର ୭୩୩ଜଣ ଏବଂ ନୂଆପଡା ବ୍ଲକରେ ୩୧ରୁ ୨୭ ପଞ୍ଚାୟତର ୫୭୯ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ତେବେ କେତେକ ପଞ୍ଚାୟତରେ ଭୋଟିଏ ସ୍ଥାନରେ ଖାଦ୍ୟ ରାନ୍ଧି ବଣ୍ଟନ କରାଯାଉଥିବାରୁ ବୃଦ୍ଧାବୃଦ୍ଧ ଲୋକ ଦୂରଦୂରାନ୍ତରୁ ଆସି ଖାଦ୍ୟ ନେଉଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କୁ ପଚାରିବାରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।