Categories: ଖେଳ

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମହାନ ଲେଗ୍‌-ସ୍ପିନର ଇଂଲଣ୍ଡର ବ୍ରିଙ୍ଗଟନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରକୁ ବିକିବା ପାଇଁ ସ୍ଥିର କରିଛନ୍ତି। ନିଲାମି ପ୍ରକ୍ରିୟାରେ ଏହି ଘରକୁ ସେ ୬.୮ରୁ ୭.୪ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୫୦-୫୪ କୋଟି ଟଙ୍କା)ରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ୪ରେ ଏହାର ନିଲାମ ହେବ। ଅଷ୍ଟ୍ରେଲିଆର ସେଣ୍ଟ କିଲ୍ଡାଠାରେ ଆଉ ଏକ ବିଳାସପୂର୍ଣ୍ଣ ପ୍ରସାଦ କିଣିବାକୁ ଲକ୍ଷ୍ୟ ରଖିଥିବାରୁ ଏହାକୁ ବିକ୍ରି କରୁଛନ୍ତି। ୫୦ ବର୍ଷୀୟ ଓ୍ବର୍ନ ୨୦୧୮ରେ ଅଷ୍ଟ୍ରେଲୀୟ ଷ୍ଟାର୍‌ ଫୁଟ୍‌ବଲ ଖେଳାଳି ମାଥ୍ୟୁ ଲୟଡଙ୍କଠାରୁ ଏହି ଘରକୁ ୪୦ କୋଟି ମୂଲ୍ୟରେ କ୍ରୟ କରିଥିଲେ। ଓ୍ବର୍ନଙ୍କ ଏହି ବିଳାସମୟ ଘରେ ଆଧୁନିକ ସୁବିଧାର କୌଣସି ଅଭାବ ନାହିଁ। ଏଠାରେ ୫ ବେଡ୍‌ରୁମ୍‌, ୫ ବାଥ୍‌ରୁମ୍‌, ବାର୍‌, ହୋମ୍‌ ଥିଏଟର, ସୁଇମିଂ ପୁଲ୍‌, ସ୍ପା ଭଳି ସୁବିଧା ରହିଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଏହି ଘରେ ୫୦୦ ବୋଲର ଓ୍ବାଇନ୍‌ ରହିଲା ଭଳି ବ୍ୟବସ୍ଥା ରହିଛି। ସ୍ମରଣଯୋଗ୍ୟ, ଓ୍ବର୍ନ ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ, ୧୯୪ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୦୮ ଓ ୨୯୩ ଉଇକେଟ୍‌ ନେଇଛନ୍ତି। ସେହିଭଳି ଟେଷ୍ଟରେ ସେ ୩୧୫୪ ଏବଂ ଦିନିକିଆରେ ୧୦୧୮ ରନ୍‌ ସଂଗ୍ରହ କରିଛନ୍ତି।

Share