ନୂଆଦିଲ୍ଲୀ,୧୯।୬ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଜୁନ୍ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ରାହୁଲ। ଚାଇନା ସୈନ୍ୟଙ୍କ ଗୁଳିରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଏଥର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଜଣାପଡିଛି। ଏପଟେ କଂଗ୍ରେସ କର୍ମୀମାନେ ରାହୁଲଙ୍କ ଜନ୍ମଦିନରେ ଗରିବ ଲୋକଙ୍କୁ ରାଶନ ଏବଂ ଭୋଜନ ବାଣ୍ଟିବାର ବ୍ୟବସ୍ଥା ରହିଛି। ରାହୁଲ ଜୀବନର ୫୦ ବର୍ଷର ଯାତ୍ରା ଏମିତି ସମୟରେ ସମାପ୍ତ କରିଛନ୍ତି ଯେତେବେଳେ ତାଙ୍କ ଦଳ ଇତିହାସର ସବୁଠୁ ଦୁର୍ବଳ ସ୍ଥାନରେ ଠିଆ ହୋଇଛି। କଂଗ୍ରେସର ଭିତ୍ତିଭୂମି କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ସଂଗଠନ ଦୁର୍ବଳ ହୋଇପଡିଛି। ଏହାସହ ଦେଶର ଅଧାରୁ ଅଧିକ ରାଜ୍ୟରେ ଭାଜପା ସରକାର ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୂପରେ ଲୋକପ୍ରିୟ ଚେହେରା ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଗାନ୍ଧୀ ପରିବାରର ରାଜନୈତିକ ପରମ୍ପରାକୁ ଆଗକୁ ବଢାଇବା ଏବଂ କଂଗ୍ରେସର ସ୍ଥିତିକୁ ଅଗଭଳି ମଜଭୁତ କରିବା ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।