Categories: ଫୁରସତ

୫୦ ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି ଝିଅ, ରଖିଛନ୍ତି ଏମିତି ସର୍ତ୍ତ

ନିଜର ସନ୍ତାନ ପାଇଁ ମା’ବାପା ବରକନ୍ୟା ଖୋଜିବା ସ୍ବାଭାବିକ କଥା। ହେଲେ ଯଦି କୁହାଯାଏ ସନ୍ତାନଟିଏ ମା’ ଅଥବା ବାପା ପାଇଁ ବରପାତ୍ରୀ/ବରପାତ୍ର ଖୋଜିବ, ତେବେ କଥାଟି ଅଜବ ଲାଗିପାରେ। ହେଲେ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଠି ଜଣେ ଝିଅ ନିଜର ୫୦ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜିବାରେ ଲାଗିପଡ଼ିଛନ୍ତି। ଟୁଇଟରରେ ଏବେ ଏହି ଘଟଣା ଏହା ଭାଇରାଲ ହେବାରେ ଲାଗିଛି।

ଆଇନଛାତ୍ରୀ ଥିବା ଆସ୍ଥା ନିଜର ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି। ହେଲେ ଏଥିପାଇଁ କିଛି ସର୍ତ୍ତ ରହିଛି। ସେ ଚାହାନ୍ତି ତାଙ୍କ ବାପା ଶାକାହାରୀ ହୁଅନ୍ତୁ। ସେ ସମ୍ଭ୍ରାନ୍ତ ପରିବାରର ହୋଇଥାଆନ୍ତୁ। ତାଙ୍କର ମଦ ଏବଂ ଅନ୍ୟ କୌଣସି ଖରାପ ଅଭ୍ୟାସ ମଧ୍ୟ ନ ଥାଉ। ନିଜ ଟୁଇଟର ପୃଷ୍ଠାରେ ଆସ୍ଥା ଏଭଳି କଥା ଲେଖି ମା’ଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଅନେକେ ପ୍ରଶଂସା କରୁଛନ୍ତି।

୩୧ ଅକ୍ଟୋବର ରାତି ୮ଟାରେ ଆସ୍ଥା ଏନେଇ ଏକ ଟୁଇଟ କରିଥିଲେ। ଏହାର କିଛି ସମୟ ପରେ ପୋଷ୍ଟଟି ଭାଇରାଲ ହୋଇଥିଲା। ଇତିମଧ୍ୟରେ ଏହାକୁ ୨୭ହଜାରରୁ ଅଧିକ ଲାଇକ୍‌ ଏବଂ ୫୩ଶହରୁ ଅଧିକ ଲୋକେ ଏଥିରେ ନିଜର ମତ ରଖିଛନ୍ତି। କେହି କେହି ତାଙ୍କୁ ବିବାହ ପାଇଁ ପଞ୍ଜିକୃତ ଥିବା ସାଇଟ୍‌ରେ ଚେଷ୍ଟା କରିବା ଲାଗି କହିଛନ୍ତି। ଏହାର ଜବାବ ଦେଇ ଆସ୍ଥା ଲେଖିଛନ୍ତି, ଚେଷ୍ଟା କରି ବିଫଳ ହୋଇସାରିଛି। ଏହାପରେ ତାଙ୍କ ମା’ଙ୍କୁ ଖୁବ୍‌ଶୀଘ୍ର ଜୀବନସାଥୀ ମିଳିଯିବ ବୋଲି ଆଶା କରୁଥିବା ସମସ୍ତେ ପ୍ରକାଶ କରୁଛନ୍ତି।

Share