୫୦ ଲକ୍ଷ ଡକାୟତି ଘଟଣାର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬।୨: ବଡ଼ବଜାର ଥାନା ପୋଲିସ ଏକ ବଡ଼ଧରଣ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି । ୩ ଜଣ ପେସାଦାର ଅପରାଧୀ ଓ ୨ ଜଣ ଲୁଟ୍‌ ଟଙ୍କା ରଖିଥିବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ପୋଲିସ ଗିରଫ କରିଥିବା ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ଢିପସାହିର ସୁନିଲ ବିଷୋୟୀ, ବଡ଼ବଜାର ଶ୍ରୀରାମନଗରର ମୁନା ମହାରଣା, ମଥୁରା ନଗରର ପ୍ରତୀକ ଦଳାଇ ଓ ଲୁଟ୍‌ ଟଙ୍କା ରଖିଥିବା ପାଟପୁର ଥାନା କଙ୍କରଡ଼ାର ରାଜା ଚୌଧୁରୀ, ଭାବିନିପୁର ଗ୍ରାମର ନିରଞ୍ଜନ ଗୌଡ଼। ପୋଲିସ ସେମାନଙ୍କଠାରୁ ୩୬ ଲକ୍ଷ ୭୭ ହଜାର ଟଙ୍କା, ୪୭ ହଜାର ଟଙ୍କାର ସୁନାଗହଣା, ୫ଟି ଦାମୀ ମୋବାଇଲ ଜବତ କରିଛି। ଏଥିରେ ସଂପୃକ୍ତ ୨ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଥିବା ବେଳେ ସେମାନଙ୍କ ନିକଟରେ ବନ୍ଧୁକ ଓ ବଳକା ଟଙ୍କା ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।
ଅନ୍ୟପକ୍ଷରେ ଘଟଣା ପରଠାରୁ ଭୟଭୀତ ହୋଇ ଲୁଚି ରହିଥିବା ଏଜେଣ୍ଟ ଚକାଡୋଳା ମାଝୀଙ୍କୁ ପୋଲିସ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ଅଞ୍ଚଳରୁ ଉଦ୍ଧାର କରି କୋର୍ଟରେ ଗୁରୁବାର ତାଙ୍କ ବୟାନ ରେକର୍ଡ କରିଛି।
ସୂଚନାଯୋଗ୍ୟ, କଲିକତାର ଖୁସି ଟ୍ରେଡିଂ ନାମକ ଏକ ଗାର୍ମେଣ୍ଟ କମ୍ପାନୀ ବ୍ରହ୍ମପୁରରେ ବ୍ୟବସାୟ ଚଳାଇଥିଲା। କଲିକତାରୁ ବ୍ରହ୍ମପର ସହରକୁ ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ ଜରିଆରେ ସାମଗ୍ରୀ ଆସୁଥିଲା । ଉକ୍ତ କମ୍ପାନୀର ଏଜେଣ୍ଟ ଚକାଡୋଳା ବହ୍ମପୁରର ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ସଂଗ୍ରହ କରିଥିବା ୫୦ ଲକ୍ଷ ଟଙ୍କା ନେଇ ଗତ ଜାନୁୟାରୀ ୨୩ ତାରିଖରେ ବସ୍‌ ଯୋଗେ ଭୁବନେଶ୍ୱର ଯାଉଥିଲେ। ବାଲୁଗାଁଠାରେ ୩ ଜଣ ଦୁର୍ବୃତ୍ତ ବନ୍ଧୁକମୁନରେ ଚକାଡୋଳାଙ୍କୁ ଭୟଭୀତ କରି ସେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲ ଲୁଟି ନେଇଥିଲେ। ଟଙ୍କା ନ ପାଇ କମ୍ପାନୀ ମାଲିକ ଅଶୋକ ବୃନ୍ଦା ବ୍ରହ୍ମପୁର ଆସି ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୧୪ /୨୦ରେ ଏକ ମାମଲା ରୁଜୁ କରିଥିଲା।

ସେହିପରି ଚକାଡୋଳାଙ୍କ ସ୍ତ୍ରୀ ଘଟଣା ପରଠୁ ତାଙ୍କ ସ୍ବାମୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏଏସ୍‌ପି ପ୍ରଭାତ ରାଉତରାୟ ଏହି ଘଟଣାର ପରିଚାଳନା କରିଥିଲେ। ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ୱରେ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଚକାଡୋଳାଙ୍କ ବୟାନକୁ ଆଧାର କରି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇପାରିଥିଲା ବୋଲି ଏସ୍‌ପି କହିଛନ୍ତି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କେସ୍‌ ନଂ. ୧୪/୨୦ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।