୫୦ ସରକାରୀ ଡିଗ୍ରୀ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଓଡ଼ିଶାରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛି। କିନ୍ତୁ ବାସ୍ତବଚିତ୍ର କିଛି ଅଲଗା ରହୁଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଅଧିକାଂଶ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏହା କଲେଜଗୁଡ଼ିକର ପ୍ରଶାସନିକ ପରିଚାଳନା ଓ ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ସରକାରୀ ତଥ୍ୟ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୫୨ଟି ସରକାରୀ ଡିଗ୍ରୀ କଲେଜ ରହିଛି। ଏଥିମଧ୍ୟରୁ ୫୦ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଫଳରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ଏହି କଲେଜଗୁଡ଼ିକ ପରିଚାଳିତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ରାଜ୍ୟରେ ଥିବା କୌଣସି ବି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ପାଇଁ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଏଯାବତ୍‌ ମଞ୍ଜୁର କରାଯାଇନାହିଁ।
ରାଜ୍ୟରେ ୩୫ଟି ସ୍ବୟଂଶାସିତ କଲେଜ ରହିଛି। ସେଥିରୁ ୧୮ଟି ସରକାରୀ କଲେଜ ରହିଛି। ଏହି ସରକାରୀ ସ୍ବୟଂଶାସିତ କଲେଜଗୁଡ଼ିକ ମଧ୍ୟରୁ କେତେକକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲେ ମଧ୍ୟ ତାହା ସାଧାରଣ କଲେଜ ଭଳି ପରିଚାଳିତ ହେଉଛି। ନିୟମିତ ଅଧ୍ୟକ୍ଷ ନ ଥିବା, ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିବା ଏବଂ ବହୁ କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ଯୋଗୁ କେତେକ କଲେଜର ସ୍ବୟଂଶାସିତ ମର୍ଯ୍ୟାଦା ମଧ୍ୟ କ୍ଷୁଣ୍ଣ ହୋଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଯୁକ୍ତ୨ କଲେଜଗୁଡ଼ିକ ପାଇଁ ମଧ୍ୟ ସରକାର ନିୟମିତ ଅଧ୍ୟକ୍ଷ ପଦବୀ ସୃଷ୍ଟି କରିନାହାନ୍ତି। ରାଜ୍ୟର ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ ଯୁକ୍ତ୨ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ଚାଲିଛି।
ଅନ୍ୟପକ୍ଷରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟକ୍ଷ, ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବହୁ ସଂଖ୍ୟାରେ ଖାଲିପଡିଥିବା ନେଇ ସ୍ବୀକାର କରିଛନ୍ତି। ପ୍ରଚଳିତ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଲାଗି ସରକାରଙ୍କ ପକ୍ଷରୁ ଲୋକସେବା ଆୟୋଗ ଓ ସିଲେକ୍ସନ୍‌ ବୋର୍ଡକୁ ଅନୁରୋଧ କରାଯାଇଛି। ସେଠାରୁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ମିଳିବା ପରେ ଏହି ପଦବୀ ପୂରଣ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି।

Share