Categories: ବାଣିଜ୍ୟ

୫୧ ପଳାତକ ବ୍ୟାଙ୍କକୁ ଠକିଛନ୍ତି ୧୭,୯୦୦ କୋଟି

ନୂଆଦିଲ୍ଲୀ, ୪-୧୨: ପଳାତକ ଘୋଷିତ ହୋଇ ଦେଶ ଛାଡିଥିବା ୫୧ ଜଣ ବ୍ୟକ୍ତି ବିଶେଷ ବ୍ୟାଙ୍କଗୁଡିକୁ ୧୭,୯୦୦ କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ରାଜ୍ୟ ସଭାରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ମାମଲା ସହ ଜଡିତ ବ୍ୟକ୍ତି ବିଶେଷଙ୍କ ନାମରେ ମୋଟ ୬୬ ମାମଲା ରୁଜୁ ହୋଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ରିପୋର୍ଟରୁ ଜଣାପଡିଛି। ଠାକୁର କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଏନ୍‌ପିଏକୁ ଚିହ୍ନଟ କରିବା ସହ ଏହାର ଅସୁଲ ଲାଗି ପଦକ୍ଷେପ ନେଉଛନ୍ତି। ପଳାତକ ମାମଲାଗୁଡିକରେ ସିବିଆଇ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ଧାରା ଜାରି ରଖିଛନ୍ତି। ପଳାତକଙ୍କୁ ଦେଶ ମଧ୍ୟକୁ ଫେରାଇ ଆଣିବା ଲାଗି ୫୧ ପ୍ରତ୍ୟାର୍ପଣ ଅନୁରୋଧ ପତ୍ର ସିବିଆଇ ଅନ୍ୟ ଦେଶକୁ ପଠାଇଛି। ଏହି ମାମଲାଗୁଡ଼ିକ ବିଭିନ୍ନ ସ୍ତରରେ ରହିଛି। ସେହିଭଳି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ୬ ପଳାତକଙ୍କ ବିରୋଧରେ ମାମଲା ରିପୋର୍ଟ କରିଥିବା ସେ କହିଛନ୍ତି। ପଳାତକ ଆର୍ଥତ୍କ ଅପରାଧି ଆଇନ-୨୦୧୮ରେ ୧୦ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡିର ଅନୁରୋଧ କ୍ରମେ ୮ ବ୍ୟକ୍ତିଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି କରିଥିବା ଠାକୁର ସ୍ପଷ୍ଟ କରିଛନ୍ତି।

Share