୫୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭ା୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨, ୩୪୦ରେ ପହଞ୍ଚିଛି। ପ୍ରାଣ ହରାଇଲେଣି ୧,୭୬୮ ଲୋକ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସବୁଠାରୁ ବଡ଼କଥା ହେଲା ଗତ ୨୪ ଘଣ୍ଟା ମଧ୍ୟରେ ୨,୯୩୪ ନୂଆ ମାମଲା ସାମ୍ନାକୁ ଆସିବା ସହ ୭୫ ଜଣଙ୍କ ମୃତ୍ୟୁ ଘଟିଛି। କ୍ରମବର୍ଦ୍ଧିଷ୍ଣୁ ରୋଗୀସଂଖ୍ୟା ପରିସ୍ଥିତିକୁ ଜଟିଳ କରିପକାଉଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସୁଦ୍ଧା ୧୬,୭୬୦ରେ ପହଞ୍ଚିଛି। ଅନେକ ସ୍ଥାନରେ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି। କେବଳ ବୁଧବାର ଏହି ରାଜ୍ୟରେ ୧,୨୩୪ ନୂଆ ମାମଲା ନଜରକୁ ଆସିଛି। ମହାରାଷ୍ଟ୍ରରେ ମୋଟ ୬୫୧ ବ୍ୟକ୍ତି ପ୍ରାଣ ହରାଇଲେଣି। ଗୁଜରାଟ ଦ୍ୱିତୀୟ ରାଜ୍ୟ ଭାବେ ସଂକ୍ରମିତ ତାଲିକାରେ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୨୫ରେ ପହଞ୍ଚିଥିବା ବେଳେ ୩୯୬ ଜଣ ପ୍ରାଣ ହରାଇଲେଣି। ସେହିଭଳି ରାଜଧାନୀ ଦିଲ୍ଲୀରେ ୫,୦୦୪ ବ୍ୟକ୍ତି ଆକ୍ରାନ୍ତ ରହିଥିବା ବେଳେ ୬୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାମିଲନାଡ଼ୁରେ ୪,୮୨୯ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୩୫କୁ ବଢ଼ିଛି। ମଧ୍ୟପ୍ରଦେଶରେ ୧୭୬ ଜଣଙ୍କ ଜୀବନ ଯାଇଥିବା ବେଳେ ୩,୧୩୭ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ସଂକ୍ରମିତଙ୍କ ତାଲିକା ଲମ୍ବି ଲମ୍ବି ଚାଲିଛି। ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୨,୮୮୦ ଓ ୩,୨୪୦କୁ ବୃଦ୍ଧିପାଇଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଏଠାରେ ଯଥାକ୍ରମେ ୫୬ ଓ ୯୦।
ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧,୭୭୭ ଭୂତାଣୁ ଆକ୍ରାନ୍ତ ରହିଥିବା ବେଳେ ୩୬ ଜଣ ଜୀବନ ହରାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧,୪୫୬ ଆକ୍ରାନ୍ତ ରହଥିବା ବେଳେ ୧୪୪ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛନ୍ତି। ପଞ୍ଜାବରେ ୨୭, ତେଲଙ୍ଗାନାରେ ୨୯, କର୍ନାଟକରେ ୨୯ ଜୀବନ ଯାଇଛି। ଯଦିଓ ପ୍ରାୟ ୧୫ ହଜାର ସଂକ୍ରମିତ ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ଉଗ୍ର ସଂକ୍ରମଣ ସ୍ଥିତି ଏବେ ଭାରତ ଲାଗି ବିପଦ ଆଣିଦେଇଛି। ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ଦ୍ଦଶା ବଢ଼ାଇବାର ଆଶଙ୍କା କରାଯାଉଛି। ଏହି ମହାମାରୀରୁ ବର୍ତ୍ତିବା ଲାଗି କେବଳ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଯଦି ଏହାକୁ ଅଣଦେଖା କରାଯାଏ, ତେବେ ପାଶ୍ଚାତ୍ୟ ଦେଶ ଭଳି ପରିଣାମ ଭୋଗକରିବା ହିଁ ସାର ହେବ।

Share