୫୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୨୧।୨(ବ୍ୟୁରେ)- ରାଜଧାନୀରେ ବ୍ରାଉନସୁଗାର କାରବାରରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଜାରି ରହିଛି। ବୁଧବାର କମିଶନରେଟ ପୋଲିସର ଡ୍ରଗ ଟାକ୍ସ ଫୋର୍ସ (ଡିଟିଏଫ୍‌) ଏବଂ ତମାଣ୍ଡୋ ପୋଲିସ ମିଳିତ ଭାବେ କଳିଙ୍ଗ ନଗରରେ ଚଢ଼ାଉ କରି ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ତମାଣ୍ଡୋସ୍ଥିତ ଟାଙ୍ଗୀ ସାହି ଅଞ୍ଚଳର ଦୀପକ କୁମାର ବଳ ଓରଫ ହାପି ଓ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଦୀପକ ନାଥ ଓରଫ ଟୁନା। ଏଥିସହ ପୋଲିସ ସେମାନଙ୍କ ନିକଟରୁ ୫୪ ଗ୍ରାମ ବ୍ରାଉନସୁଗାର ସମେତ ୧୨ହଜାର ଟଙ୍କା ଓ ମୋବଇଲ ଜବତ କରିଛି। ଏ ନେଇ ତମାଣ୍ଡୋ ପୋଲିସ ନଂ.୯/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଟୁନା ଓ ହାପି ମିଶିି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ବେପାର କରୁଥିଲେ। ଟୁନା ବାଲେଶ୍ୱରରୁ ବାଇକ୍‌, କାର୍‌, ବସ୍‌ ଓ ଟ୍ରେନ ସହାୟତାରେ ରାଜଧାନୀରେ ବ୍ରାଉନସୁଗାର ପହଞ୍ଚାଇବା ପରେ ହାପି ଛୋଟ ବେପାରୀମାନଙ୍କୁ ଯୋଗାଉଥିଲା। ୨ଅଭିଯୁକ୍ତ କଳିଙ୍ଗ ବିହାର ଅଞ୍ଚଳରେ ବ୍ରାଉନସୁଗାର ଡିଲ କରିବା ନେଇ ବିଶେଷ ସୂତ୍ରରୁ ତମାଣ୍ଡୋ ପୋଲିସ ଜାଣିପାରିଥିଲା। ଗୁରୁବାର ସକାଳ ସାଢେ ୯ଟା ବେଳକୁ ୨ ଅଭିଯୁକ୍ତ କଳିଙ୍ଗ ବିହାରସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସ ନିକଟରେ ଡିଲ ପାଇଁ ପହଞ୍ଚିବା ପରେ ଉଭୟ ଟିମ ଚଢାଉ କରି ଧରିିଥିଲେ। କାରବାରରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପଚରାଉଚରା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Share