Categories: ଜାତୀୟ

୫୫୦୦ କୋଟିର ଆକାଶ ମିସାଇଲ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୬-୯:ପାକିସ୍ତାନ ଓ ଚାଇନା ସୀମାରେ ମୁତୟନ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ନିକଟରେ ବାୟୁସେନା ପାଇଁ ୫୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। ଏ ସମ୍ପର୍କରେ ବାୟୁସେନାକୁ ଜଣାଇ ଦିଆଯାଇଥିବା ଏକ ସରକାରୀ ସୂତ୍ରରୁ ଜଣାପଡିଛି। ତଦନୁଯାୟୀ ଆକାଶ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ସମେତ ୮୩ଟି ହାଲୁକା ଲଢ଼ୁଆ ବିମାନ କିଣାଯିବ। ଏହା ବ୍ୟତୀତ ଚଳିତ ବର୍ଷ ୧୫ଟି ହାଲୁକା ଲଢ଼ୁଆ ହେଲିକପ୍ଟର ପାଇଁ ମଧ୍ୟ ଚୁକ୍ତିନାମା ସ୍ବାକ୍ଷର ହେବାକୁ ଯାଉଛି। ଅସ୍ତ୍ର କିଣାକୁ ସହଜ କରିବା ପାଇଁ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ନୂଆ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନୀତି ଆଣିବେ ବୋଲି ଆଶା କରାଯାଉଛି।
ତିନି ବର୍ଷ ତଳର ଏହି ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇଥିବାରୁ ବାୟୁସେନାର ଆକାଶ ମିସାଇଲ ସିଷ୍ଟମ୍‌ ୧୫କୁ ବୃଦ୍ଧି ପାଇବ। ପ୍ରଥମେ ବାୟୁସେନା ଦୁଇଟି ସ୍କ୍ବାଡ୍ରନ୍‌ ପାଇଁ ଅର୍ଡର କରିଥିବାବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଥିବାରୁ ଉକ୍ତ ସିଷ୍ଟମ୍‌ ପ୍ରତି ଆସ୍ଥା ବୃଦ୍ଧି ପାଇଥିବା ସ୍ପଷ୍ଟ ହୋଇଛି। ସୂର୍ଯ୍ୟ ଲଙ୍କା ସମରାଭ୍ୟାସ ବେଳେ ଅନ୍ୟାନ୍ୟ ଏୟାର ଡିଫେନ୍ସ ମିସାଇଲ ସହ ଆକାଶ ମିସାଇଲ ସିଷ୍ଟମ୍‌ର ପରୀକ୍ଷା କରାଯାଇଥିଲା। ଆକାଶ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବୋଲି ଏହି ସୂତ୍ରରୁ କୁହାଯାଇଛି। ଫଳରେ ବିଦେଶୀ ଡିଫେନ୍ସ ସିଷ୍ଟମ ପରିବର୍ତ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆକାଶକୁ ଚୟନ କରିଥିଲା। ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉଦ୍ୟମ କରିଥିଲା। ଯଦି ଭବିଷ୍ୟତରେ ଏଭଳି ଆକ୍ରମଣ ହୁଏ ତାକୁ ପ୍ରତିହତ କରିବା ପାଇଁ ଅଧିକ ଆକାଶ ମିସାଇଲ ସିଷ୍ଟମର ଆବଶ୍ୟକତାକୁ ସେନା ଅନୁଭବ କରିଥିଲା।

Share