୫୬ନଂ କରୋନା ଆକ୍ରାନ୍ତଙ୍କ ତଥ୍ୟ: ୧୭ଜଣଙ୍କ ସହ କୋଲକାତାରୁ ଯାଜପୁରର ସାଥୀପୁର ଆସିଥିଲେ, ମାଛ ଗାଡ଼ିରେ ପହଞ୍ଚିଥିଲେ ଗଣେଷପୁର

ଭୁବନେଶ୍ୱର,୧୪।୪(ବ୍ୟୁରୋ): ୫୬ନଂ କରୋନା ଆକ୍ରାନ୍ତ ତଥା ଯାଜପୁରରେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୨୮ ତାରିଖରେ ସେ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରେ କୋଲକାତା ବାବୁଘାଟରୁ ଆସି ଯାଜପୁରର ସାଥୀପୁରରେ ପହଞ୍ଚିଥିଲେ। ଯାଜପୁର ସଦରର ଏହି ୬୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଆଉ ୧୭ଜଣ ଯାତ୍ରୀ ରହିଥିଲେ। ସାଥିପୁରରୁ ଗଣେଷପୁରକୁ ସେ ଏକ ମାଛ ବୋଝେଇ ଗାଡ଼ିରେ ଆସିଥିବା ବେଳେ ଚାଲିଚାଲି ଯାଜପୁର ଟାଉନ୍‌ରେ ପହଞ୍ଚିଥିଲେ। ପରେ ସେ ସାନ ତ୍ରିଲୋଚନପୁରରେ ଥିବା ନିଜ ଘରେ ୨୯ ମାର୍ଚ୍ଚରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ ୧୩ରେ ହିଁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଟକରେ ଥିବା ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା କୁହାଯାଇଛି।

ପ୍ରକାଶ ଯେ, ୫୬ନଂ ଆକ୍ରାନ୍ତଙ୍କ ମିଶାଇଲେ ଯାଜପୁରରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତ ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ସେ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସାନତ୍ରିଲୋଚନପୁର ଓ ନିକଟସ୍ଥ ସଇପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ତାଙ୍କ ସହ ଥିବା ୧୭ଜଣ ଯାତ୍ରୀଙ୍କ ମଧ୍ୟରୁ ଜିଲାର କୋରେଇ ଓ ପାଣିକୋଇଲି ଅଞ୍ଚଳର ୩ ଜଣ ଏବଂ ମୁକୁନ୍ଦପୁର ଅଞ୍ଚଳର ୫ ଜଣ ଆସିଥିଲେ। ସେମାନଙ୍କ ପରିଚୟ ଜାଣିବାକୁ ପ୍ରକ୍ରିୟା ଚାଲିଛି ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ଯାଜପୁର ଜିଲାର ବ୍ରହ୍ମବରଦା ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି।

Share