୫,୬୦,୮୯୧ ଛାତ୍ରୀଛାତ୍ର ଦେବେ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର, ୪ା୨(ବ୍ୟୁରୋ): ଚଳିତବର୍ଷ ୫, ୬୦, ୮୯୧ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେବେ। ମୋଟ ୨,୮୮୮ କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ୩୦୭ ନୋଡାଲ ସେଣ୍ଟର କରାଯାଇଛି। ୨୨ ପୋଲିସ୍‌ ଷ୍ଟେଶନକୁ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୋଡାଲ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ବର୍ତ୍ତମାନ ପ୍ରଶ୍ନପତ୍ର ଛପା ଓ ପ୍ୟାକିଂ କାର୍ଯ୍ୟ ଚାଲିଛି। ଆସନ୍ତା ୮ତାରିଖରେ ଓଏମ୍‌ଆର୍‌ ଉପସ୍ଥାନ ଶିଟ୍‌ ଓ ଆଡମିଟ୍‌ କାର୍ଡ ସ୍କୁଲକୁ ପଠାଯିବ। ତେବେ ଏହାର ପୂର୍ବଦିନ ଅର୍ଥାତ୍‌ ୭ ତାରିଖରେ ୱେବ୍‌ସାଇଟରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ପୋଲିସ ଡିଜି, ଆର୍‌ଡିସି, ସମସ୍ତ ଜିଲାପାଳ ତଥା ଏସ୍‌ପିଙ୍କ ସହାୟତା ମଗାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ୧୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହେବ।

Share