୫୬୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଗାଏବ

ନବରଙ୍ଗପୁର,୫ା୩(ବି.ପ୍ର.) ନବରଙ୍ଗପୁର ଜିଲାର କେତେକ ବିଦ୍ୟାଳୟର ଶିକ୍ଷକଙ୍କ ଜାଲ ଦସ୍ତଖତ କରି ଚାଉଳ ଯୋଗାଣ ଏଜେନ୍ସି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ କରି ଦେଇଛନ୍ତି। ବିଦ୍ୟାଳୟକୁ କମ ଚାଉଳ ଯୋଗାଇ ଠିକ ଓଜନର ଚାଉଳ ଯୋଗାଣ ହେଉଥିବା ଘଟଣା ଏବେ ପଦାକୁ ଆସିଛି। ଜିଲା ଶିକ୍ଷା ଅଧିକାରୀ ପାପଡାହାଣ୍ଡି ବିଇଓଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନବରଙ୍ଗପୁର ଜିଲାରେ ୧୯୨୮ ବିଦ୍ୟାଳୟକୁ ୨୦୧୮-୧୯ ବର୍ଷ (ଏପ୍ରିଲରୁ ମାର୍ଚ୍ଚ) ମଧ୍ୟରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ପାଇଁ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଅନୁମତି ପାଇଥିଲା। ଚାଉଳ ଯୋଗାଣ କମ ହୋଇଥିବା ବେଳେ ଅଧିକା ଦର୍ଶା ଯାଉଥିବା ନେଇ ଶିକ୍ଷକମାନେ ପୂର୍ବରୁ ଜିଲା ଶିକ୍ଷା ଅଧିକାରୀ, ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ବର୍ତ୍ତମାନ ୫ଶହ୬୩ କୁଇଣ୍ଟାଲ ୬ କେଜି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ ହୋଇ ଯାଇଥିବା ସନ୍ଦେହ କରାଯାଇଛି। ୫,୯୫,୨୦୦ କିଲୋ ଚାଉଳ ସ୍ଥାନରେ ୫୩ ହଜାର ୮୮୯୪ କିଲୋ ୧୦ ଗ୍ରାମ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ହୋଇଛି। ଆବଶ୍ୟକ ଥିବା ମୋଟ ୫ଶହ୬୩ କୁଇଣ୍ଟାଲ ୬ କେଜି ଚାଉଳ ଯୋଗାଣ ହୋଇ ନାହିଁ। ବର୍ଷର ପ୍ରଥମ ୬ ମାସରେ ୩୭ ହଜାର ୩୮୪ କିଲୋ ୯୦ ଗ୍ରାମ, ଏହାର ତିନି ମାସ ପରେ ୧୪ ହଜାର ୭୨୧ କିଲୋ ଓ ୪ର୍ଥ ପର୍ଯ୍ୟାୟରେ ୪ ହଜାର ୨ଶହ କିଲୋ ଚାଉଳ ବିଦ୍ୟାଳୟମାନଙ୍କୁ ଯୋଗାଣ କରାଯାଇ ନାହିଁ। ବକେୟା ଚାଉଳ ଯୋଗାଣ ପାଇଁ ଶିକ୍ଷକମାନେ ଏଜେନ୍ସିକୁ ଅନେକ ଥର କହି ଆସୁଥିଲେ ମଧ୍ୟ ସେମାନଙ୍କୁ ଶୁଣି ନ ଥିଲେ। ବକେୟା ଚାଉଳ ଯୋଗାଣ ହୋଇଥିବା ଦେଖାଇ ବିଲ କରି ନେବା ପାଇଁ ସଂସ୍ଥା ଉଦ୍ୟମ କରିଥିଲା। ଚାଉଳ ଯୋଗାଣ ନକରି ଶିକ୍ଷକଙ୍କ ଜାଲ ଦସ୍ତଖତରେ ଚାଉଳ ଯୋଗାଣ ହୋଇଥିବା ଭଳି ବିଲ୍‌ ଭାଉଚର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଟ୍ରାନ୍ସପୋର୍ଟ ଏଜେନ୍ସି ଦାଖଲ କରିଥିଲା।  ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ନକଲି ହୋଇଥିବା ଯାଞ୍ଚ ସମୟରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣାପଡିଥିଲା। ଏନେଇ ଜିଲା ଶିକ୍ଷା ଅଧିକାରୀ ପାପଡାହାଣ୍ଡି ବିଇଓଙ୍କୁ ୨୪ ତାରିଖରେ ଚିଠି ନମ୍ବର ୧୦୦୧ ମାଧ୍ୟମରେ ଏହାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଜଣାଇଛନ୍ତି।

Share