Categories: ବାଣିଜ୍ୟ

୫୬ କର୍ମଚାରୀଙ୍କୁ ଛଟେଇ କଲା ଓ୍ବାଲ୍‌ମାର୍ଟ

ନୂଆଦିଲ୍ଲୀ,୧୪-୧: ବିଶ୍ୱର ସର୍ବବୃହତ୍ତ ରିଟେଲର ଓ୍ବାଲମାର୍ଟ ଇଙ୍କ ଭାରତରେ କାର୍ଯ୍ୟରତ ଏହାର ୫୬ ଏକଜିକ୍ୟୁଟିଭଙ୍କୁ ଛଟେଇ କରି ଦେଇଛି। ବ୍ୟବସାୟ ପୁନର୍ଗଠନ ଯୋଜନା ମୁତାବକ କମ୍ପାନୀ ଏଭଳି ପଦକ୍ଷେପ ହାତକୁ ନେଇଛି। କମ୍ପାନୀ ଏହାର ପାଇକାରୀ ବାଣିଜ୍ୟକୁ ଭାରତରେ ସମ୍ପ୍ରସାରଣ କରୁଥିବା ବେଳେ ଛଟେଇ ଭଳି ପଦକ୍ଷେପ ଏହା ଲାଗି ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ସମଗ୍ର ଏସିଆରେ ଏହା ମୋଟ ୨୮ ଷ୍ଟୋର ସହ ସେବା ଯୋଗାଉଛି। ଛୋଟଛୋଟ କର୍ମଚାରୀଙ୍କୁ କମ୍ପାନୀ ସାମଗ୍ରୀ ବିକ୍ରି କରୁଥିବା ବେଳେ ଖୁଚୁରା ଗ୍ରାହକଙ୍କୁ ସାମଗ୍ରୀ ଯୋଗାଣ କରି ନ ଥାଏ। ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୮ ଜଣ ବରିଷ୍ଠ ମ୍ୟାନେଜମେଣ୍ଟ ସ୍ତରର ହୋଇଥିବା ବେଳେ ଅନ୍ୟମାନେ ମଧ୍ୟମ ଏବଂ ନିମ୍ନ ମ୍ୟାନେଜମେଣ୍ଟ ସ୍ତରର ବୋଲି ଓ୍ବାଲ୍‌ମାର୍ଟ ଇଣ୍ଡିଆର ସଭାପତି ତଥା ସିଇଓ କ୍ରିସ ଆୟାର କହିଛନ୍ତି। ପରିଚାଳନା ଧାରାକୁ ଆହୁରି ସଙ୍ଗଠିତ କରିବା ଲାଗି କର୍ପୋରେଟ ପୁନର୍ଗଠନ କରାଯାଇଥିବା ସେ ମତ ରଖିଛନ୍ତି। ଭାରତୀୟ ଇ-କମର୍ସ କ୍ଷେତ୍ରରେ ଏହି କମ୍ପାନୀ ଫ୍ଲିପକାର୍ଟ ଦ୍ୱାରା ପ୍ରବେଶ କରିଛି। ଫ୍ଲିପକାର୍ଟର ସିଂହଭାଗ ଅଂଶଧନକୁ ଏହା ୧୬ ବିଲିୟନ ଡଲାରରେ ଅଧିଗ୍ରହଣ କରିଥିଲା। କମ୍ପାନୀ ଅନଲାଇନ ଉପରେ ଫୋକସ କରିଥିବାରୁ ଛଟେଇ ହୋଇଥିବା କିଛି ଅଧିକାରୀ ମତ ରଖିଛନ୍ତି। ଏହାବାଦ ବିଜନେସଟୁ ବିଜ୍‌ନେସ ଏବଂ ରିଟେଲ ଇ-କମର୍ସ ବର୍ଗରେ ଏହା ସମ୍ପ୍ରସାରଣ ନେଇ ଯୋଜନା ରଖିଥିବା କୁହାଯାଉଛି। ସାରା ଦେଶରେ ଓ୍ବାଲ୍‌ମାର୍ଟର ୫,୩୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟରେ ୬୦୦ କର୍ମଚାରୀ କାମ କରୁଛନ୍ତି।

Share