Categories: ଜାତୀୟ

୫୮ ବର୍ଷ ପରେ ଭାରତ-ଚାଇନା ସୀମାରେ ଯୁଦ୍ଧ ସଜବାଜ

ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ପରେ ସୀମାରେ ଭାରତ ଚାଇନା ମୁହାଁମୁହିଁ ହେବାରେ ଲାଗିଛନ୍ତି। ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ସୀମାରେ ସଜବାଜ ହେବାରେ ଲାଗିଛନ୍ତି। ୫୮ ବର୍ଷ ପରେ ପୁଣି ଦୁଇ ଦେଶ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଲଦାଖଠାରେ ଲାଇନ ଅଫ୍‌ ଆଚୁଆଲ୍‌ କଣ୍ଟ୍ରୋଲ(ଏଲ୍‌ଏସି)ଠାରେ ମାତ୍ର କିଛି ମିଟର ବ୍ୟବଧାନରେ ଦୁଇ ଦେଶର ହଜାର ହଜାର ସୈନ୍ୟ ମୁତୟନ ହୋଇଛନ୍ତି। ଭାରତ ମିଗ୍‌-୨୯, ଆପାଚେ ବିମାନକୁ ରଖିଥିବାବେଳେ ଚାଇନା ପକ୍ଷରୁ ମଧ୍ୟ ସମାନ ପ୍ରକାର ପ୍ରସ୍ତୁତି ହୋଇଥିବା କୁହାଯାଉଛି। ୧୯୬୨ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ଚାଇନା ମଧ୍ୟରେ ୧୯୬୨ ଅକ୍ଟୋବର ୨୦ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା। ଏଥିରେ ଚାଇନା ବିଜୟ ଲାଭ କରିଥିଲା। ଭାରତର ୧,୩୮୩ ଯବାନ ଏଥିରେ ଶହୀଦ ହୋଇଥିଲେ। ସେହିପରି ୧,୦୪୭ ଯବାନ ଆହତ ହୋଇଥିବାବେଳେ ୧,୬୯୬ ଯବାନ ନିଖୋଜ ଥିଲେ। ଅପରପକ୍ଷରେ ଚାଇନାର ୭୨୨ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ୧,୬୯୭ ସୈନ୍ୟ ଆହତ ହୋଇଥିଲେ। ତେବେ ଇତିମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ସ୍ଥିତି ବଦଳି ଯାଇଛି। ଭାରତ ପାଖରେ ବିକଶିତ ଯୁଦ୍ଧ ସରଞ୍ଜାମ ରହିଛି। ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ପୂର୍ଣ୍ଣ ସକ୍ଷମ।

Share