ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆ ମୃତ, ୩ ଗୁରୁତର

ଭୁବନେଶ୍ୱର,୧୮।୩(ବ୍ୟୁରୋ): ପଶ୍ଚିମବଙ୍ଗର ସିଲିଗୁଡ଼ି କଲିମ୍‌ପଙ୍ଗ ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭୁବନେଶ୍ୱର ଅଞ୍ଚଳର ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସ୍ଥାନୀୟ ରେଳବିହାରରେ ରହୁଥିବା ରତିକାନ୍ତ ନନ୍ଦ, ଶକୁନ୍ତଳା ନନ୍ଦ, ସୁଲୋଚନା ପଣ୍ଡା, ଅଭିଜିତ ରଥ, ସବିତା ନନ୍ଦ। ଆହତମାନେ ହେଲେ ୯ବର୍ଷୀୟା ସାଇ ସ୍ନେହା ରଥ, ଶ୍ୱେତପଦ୍ମା ନନ୍ଦ ଏବଂ ଡଲି ଦାସ। ମୃତକ ଓ ଆହତମାନେ ସମସ୍ତେ ଗୋଟିଏ ପରିବାରର ଏବଂ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ କଟକ ସାଲେପୁର ଅଞ୍ଚଳର ରତିକାନ୍ତ ପରିବାର ସହ ରେଳବିହାରରେ ରୁହନ୍ତି। ରତିକାନ୍ତ, ତାଙ୍କ ସ୍ତ୍ରୀ, ଝିଅ, ଜ୍ୱାଇଁ, ନାତୁଣୀ ଓ ଜଣେ ସମ୍ପର୍କୀୟ ଏକ ଟାଟା ସୁମୋରେ ଦାର୍ଜିଲିଂ ବୁଲିବାକୁ ଯାଇଥିଲେ। ମଙ୍ଗଳବାର ଗାଙ୍ଗ୍‌ଟକରୁ ସିଲିଗୁଡ଼ି ଯିବା ବାଟରେ ଘାଟି ରାସ୍ତାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ୧୦୦ ଫୁଟ ତଳ ଏକ ଖାତ ମଧ୍ୟକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ମୃତକ ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share