୫ କଣ୍ଟେନମେଣ୍ଟ ଜୋନ୍‌ରେ ତନାଘନା

ଭଦ୍ରକ ଅଫିସ, ୨୨ା୪-ଭଦ୍ରକ ଜିଲାରେ ସୋମବାର ୫ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢିଯାଇଛି। ପ୍ରଶାସନ ପକ୍ଷରୁ ବାସୁଦେବପୁର ବ୍ଲକର ୩ଟି ଓ ଭଣ୍ଡାରିପୋଖରୀର ୨ଟି ପଞ୍ଚାୟତର ୩୯ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଠାରେ ଲକ୍‌ ଡାଉନ କଟକଣା ଜୋରଦାର କରାଯାଇଛି। ମଙ୍ଗଳବାର ଏହିି ଅଞ୍ଚଳର ୫ କରୋନା ପଜିଟିଭଙ୍କ କଣ୍ଟାକ୍ଟ ଲିଷ୍ଟକୁ ନେଇ ତନାଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ତାଲିକାରେ ୭୦ ଜଣ ରହିଥିବା ପ୍ରାଥମିକ ଆକଳନ କରାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ସମେତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ବରିଷ୍ଠ ଅଧିକାରୀ ଅର୍ଚ୍ଚନା ଗାୟନ ଭଦ୍ରକ ଜିଲାରେ ଡ଼େରା ପକାଇଛନ୍ତି। ଏହି ଅଧିକାରୀମାନେ ପ୍ରଶାସନିକ ଅଧିକାରୀମାନଙ୍କୁ ସାଙ୍ଗରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ସ୍ବାସ୍ଥ୍ୟବସ୍ଥା ପରଖିବା ସହ ସ୍ବାବ ସଂଗ୍ରହ କାର୍ଯ୍ୟର ତଦାରଖ କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୨୭ ତାରିଖଠାରୁ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କ ତାଲିକା ସଂଗ୍ରହ କରାଯାଉଛି। ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଏବଂ ଭଣ୍ଡାରିପୋଖରୀ ବିଡିଓ ଉମେଶ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି।