୫ କୋଟି ଭାରତୀୟଙ୍କ ପାଖରେ ହାତଧୁଆ ସୁବିଧା ନାହିଁ: କରୋନା ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭାରତର ୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଉପଯୁକ୍ତ ଭାବେ ହାତ ଧୋଇବାର ସୁବିଧା ଉପଲବ୍ଧ ନୁହେଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ତେଣୁ ଏମାନଙ୍କଠାରେ କୋଭିଡ୍‌-୧୯ ସଂକ୍ରମଣ ହେବାର ଆଶଙ୍କା ଅଧିକ। ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶର ଜନସାଧାରଣଙ୍କ ପାଖରେ ହାତ ଧୋଇବା ପାଇଁ ସାବୁନ ଓ ସ୍ବଚ୍ଛ ଜଳ ନ ଥିବା ଓ୍ବାଶିଂଟନ ୟୁନିଭର୍ସିଟିର ଇନ୍‌ଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏଶନ (ଆଇଏଚ୍‌ଏମ୍‌ଇ)ର ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏହା ବିଶ୍ୱ ଜନସଂଖ୍ୟାର ଏକ-ଚତୁର୍ଥାଂଶ। ଏପରିକି ୪୬ଟି ଉପ-ସାହାରା ଆଫ୍ରିକୀୟ ଦେଶ ଏବଂ ଓସିନିଆରେ ୫୦ ପ୍ରତିଶତରୁ ଅଧିକ ଲୋକ ଉପଯୁକ୍ତ ହାତଧୁଆ ସୁବିଧାରୁ ବଞ୍ଚିତ।
କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବା ମୁଖ୍ୟ ପ୍ରତିକାର ପଦକ୍ଷେପ। ତଥାପି ଏହା ଅଧିକାଂଶ ଦେଶର ଅନେକଙ୍କ ପାଇଁ ଉପଲବ୍ଧ ନୁହେଁ ବୋଲି ଆଇଏଚ୍‌ଏମ୍‌ଇ ପ୍ରଫେସର ମିଚେଲ ବ୍ରାଉର କହିଛନ୍ତି। ଭାରତ, ପାକିସ୍ତାନ, ଚାଇନା, ବାଂଲାଦେଶ, ନାଇଜେରିଆ, ଇଥିଓପିଆ, ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଏବଂ ଇଣ୍ଡୋନେସିଆରେ ୫ କୋଟି ଲେଖାଏ ଲୋକ ଉପଯୁକ୍ତ ହାତଧୁଆ ସୁବିଧାରୁ ବଞ୍ଚତ୍ତ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏହାର ଦୀର୍ଘମିଆଦୀ ସମାଧାନ ଆବଶ୍ୟକ। କାରଣ ଉପଯୁକ୍ତ ହାତଧୁଆ ସୁବିଧାର ଅଭାବରୁ ପ୍ରତିବର୍ଷ ଅଧିକ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ବ୍ରାଉର କହିଛନ୍ତି।

Share