Categories: ବାଣିଜ୍ୟ

୫ କୋଟି ଲୋକ ବେରୋଜଗାର

ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫ କୋଟି ଲୋକ ଚାକିରି ହରାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଯୋଗୁ ସହରାଞ୍ଚଳରେ ବେରୋଜଗାରୀ ହାର ୩୦.୯% ବଢିବା ନେଇ ଅନୁମାନ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବରୋଜଗାରୀ ହାର ୨୩.୪%କୁ ବଢିଯିବ ବୋଲି ଆଶଙ୍କା କରାଯାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ ହୋଇଥିବା ସାପ୍ତାହିକ ସର୍ଭେ ମୁତାବକ ମାର୍ଚ୍ଚରେ ୮.୪% ରହିଥିବା ବେରୋଜଗାରୀ ହାର ୫ ଏପ୍ରିଲ ଯାଏ ୨୩%କୁ ବଢିଯାଇଛି।
ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୫ କୋଟି ଲୋକ ନିଯୁକ୍ତି ହରାଇଥିବା ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ ପ୍ରଣବ ସେନ୍‌ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଯୋଗୁ ଲୋକମାନେ ସେମାନଙ୍କ ଘରକୁ ପଳାଇଛନ୍ତି। ଏହାକୁ ବିଚାର କରିଲେ ଆଗାମୀ ଦିନଗୁଡିକରେ ବରୋଜଗାରୀ ହାର ଆହୁରି ବଢିଯିବାର ଆଶଙ୍କା କରାଯାଉଛି। ଲକ୍‌ଡାଉନ ଶେଷ ହେବା ପରେ ବେରୋଜଗାରୀର ପ୍ରକୃତ ଆକଳନ କରାଯାଇପାରିବ।
ଆମେରିକାରେ କୋଟିଏ ଲୋକ ନିଯୁକ୍ତି ହରାଇଲେ
ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଆସିଷ୍ଟାଣ୍ଟ ପ୍ରଫେସର ହିମାଂଶୁ କହିଛନ୍ତି ଯେ, ସାରା ବିଶ୍ୱରେ ଏବେ ନିଯୁକ୍ତି ସଙ୍କଟ ଦେଖାଯାଇଛି। କରୋନା ପାଇଁ କେବଳ ଭାରତ କ୍ଷତିଗ୍ରସ୍ତ ହୋଇନାହିଁ। ସାରା ବିଶ୍ୱର ପ୍ରମୁଖ ବଜାରଗୁଡିକରେ ଏହି ସମସ୍ୟା ସାମ୍ନାକୁ ଆସିଛି। ଆକଳନ ମୁତାବକ ଆମେରିକାରେ ୧ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ସେ କହିଛନ୍ତି ଯେ, ଭାରତର ଏକ ତୃତୀୟାଂଶ ଶ୍ରମଶକ୍ତି ଅଣସଙ୍ଗଠିତ କ୍ଷେତ୍ର ସହ ଜଡିତ। ଏହି କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କର ଆର୍ଥତ୍କ ନିରାପତ୍ତା ଏବଂ ସୁରକ୍ଷା ନଥାଏ। ଲକ୍‌ଡାଉନ ଖୋଲିବା ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ନିଯୁକ୍ତି ପ୍ରଦାନ ଧାରାରେ ହ୍ରାସ
ଚଳିତ ବର୍ଷ ମାର୍ଚ୍ଚରେ ଭାରତରେ ନିଯୁକ୍ତି ପ୍ରଦାନ ଧାରାରେ ୧୮% ହ୍ରାସ ଘଟିଛି। ଏକ ପ୍ରମୁଖ ଜବ୍‌ ପୋର୍ଟାଲ ତଥ୍ୟ ମୁତାବକ ଟ୍ରାଭେଲ, ଆଭିଏଶନ, ରିଟେଲ ହସ୍ପିଟାଲିଟି ଭଳି କ୍ଷେତ୍ରଗୁଡିକରେ ନିଯୁକ୍ତି ପ୍ରଦାନ ଧାରାରେ ପ୍ରାୟ ୬୬% ହ୍ରାସ ପରିଲକ୍ଷିତ ହୋଇଛି।

Share