ପାଟଣା,୧୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି, ଏରଣ୍ଡେଇ ଓ ସରସକୋଲା ପଞ୍ଚାୟତର ଜଣେ ଲେଖାଏ କରୋନା ପଜିଟିଭ ବାହାରିଥିବାରୁ ଗୁରୁବାର ଜିଲା ପ୍ରଶାସନ ତରଫରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି। ଏଥିସହ ପାଟଣା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏହାପରେ ସଂକ୍ରମଣକୁ ରୋକିବା ପାଇଁ ପଲାଣଘାଟି ପଞ୍ଚାୟତର ସରପଞ୍ଚ ନେତ୍ରମଣି ନାଏକ କୁମୁଳା ବାହାଳୀ, ଗୋଧିରାମ ପଡା, ଜାମୁଳେଇ ବେଡା, ପଲାଣଘାଟି ଓ ଷଡଙ୍ଗ ବାହାଳୀ ଆଦି ୫ ଗାଁକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ସଂକ୍ରମିତ ବ୍ୟକ୍ତିମାନେ ହାଟ, ବଜାର ଆଦି ବୁଲିଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରପଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି।