୫ ଜିଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ୍‌-୨

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ରାଜ୍ୟର ୫ ଜିଲାରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ୍‌-୨ ଆରମ୍ଭ ହେବ। ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମିଶନ ଇନ୍ଦ୍ରଧନୁଷ୍‌ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ପୂର୍ଣ୍ଣ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ପତ୍ର ଲେଖିଛନ୍ତି। ଉକ୍ତ ଜିଲାଗୁଡ଼ିକର ସମସ୍ତ ଗ୍ରାମ, ପଡ଼ା ଓ ବସ୍ତିରେ ଥିବା ପିଲା ଓ ଗର୍ଭବତୀ ମହିଳାଙ୍କୁ ଠାବ କରିବା ସହ ପୂର୍ବଥର ଟିକାକରଣରୁ ବାଦ୍‌ ପଡ଼ିଥିବା ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ସେ କହିଛନ୍ତି। ଏହି ଅଭିଯାନରେ ସମସ୍ତ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଯେଭଳି ଟିକାଦାନ କରାଯିବ ସେନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଗୁରୁତ୍ୱ ଦେଇଛନ୍ତି। ସେହିପରି ଧାର୍ଯ୍ୟ ସମୟ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ଶେଷ କରିବା ଉପରେ ମଧ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି।
ମିଶନ ଇନ୍ଦ୍ରଧନୁଷ୍‌-୨ରେ ଉପରୋକ୍ତ ୫ ଜିଲାରେ ଆସନ୍ତା ଡିସେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁଥିବାବେଳେ ୨୦୨୦ ଜାନୁୟାରୀ ୬ରେ ଦ୍ୱିତୀୟ, ଫେବୃୟାରୀ ୩ରେ ତୃତୀୟ ଓ ମାର୍ଚ୍ଚ ୨ରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ କରାଯିବ। ବିଗତ ଦିନର ଅଭିଜ୍ଞତା ଆଧାରରେ ମିଶନ ଇନ୍ଦ୍ରଧନୁଷ୍‌-୨ର ସଫଳତା ଲାଗି ସ୍ବାସ୍ଥ୍ୟକର୍ମୀମାନଙ୍କୁ ଜିଲା ସ୍ତରରେ ତାଲିମ ଦିଆଯିବ। ଟିକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହ ଯେଭଳି ସମସ୍ତେ ଟିକା ନେବେ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବେ। ଦୁଇ ବର୍ଷରୁ କମ୍‌ ବୟସର ଶିଶୁ ଓ ଗର୍ଭବତୀ ମହିଳାମାନେ ଯେଭଳି ନିଶ୍ଚିତ ଭାବେ ଟିକା ନେବେ ତାହା ଉପରେ ଶାଳିନୀ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ଜିଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳକୁ ମିଶନ ଇନ୍ଦ୍ରଧନୁଷ୍‌-୨ରେ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତଙ୍କୁ ଟିକାକରଣରେ ସାମିଲ କରିବାକୁ ସ୍ବାସ୍ଥ୍ୟ ମିଶନ ତରଫରୁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଟିକାଦାନ ପାଇଁ ଯୋଗ୍ୟ ବିବେଚିତଙ୍କୁ ଚିହ୍ନଟ ସହ ସେମାନଙ୍କ ସମସ୍ତ ସୂଚନା ନଭେମ୍ବର ୧୫ ସୁଦ୍ଧା ମିଶନ ଇନ୍ଦ୍ରଧନୁଷ୍‌ ପୋର୍ଟାଲରେ ଅପଲୋଡ୍‌ କରିବାକୁ ଶାଳିନୀ ନିର୍ଦ୍ଦେଶ ଦେଇଛନ୍ତି।

Share