୫ ଜିଲାରେ ପ୍ରବଳ ବର୍ଷା:୪୮ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,୪।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ନୂଆପଡା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ସତର୍କ ସୂଚନା ଜାରି କରିଛି। ଏଥିସହିତ ବଲାଙ୍ଗୀର, ବରଗଡ, ଗଜପତି, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୬ରୁ ୮ ତାରିଖ ଯାଏ ବର୍ଷା ଲାଗି ରହିବ। ଲଘୁଚାପକୁ ଦୃଷ୍ଟିରେ ରଖି ଆସନ୍ତା ୪ ତାରିଖରୁ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।

Share