୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଧୀରେ ଧୀରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଥିବା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳ ଆଦି ୫ ଜିଲାରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ବିଶେଷକରି ବଂଶଧାରା ନଦୀ ବନ୍ୟାଜଳରେ ରାୟଗଡ଼ା ଜିଲାର ଗୁଡ଼ାରୀ, ବିଷମକଟକ ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ବ୍ରିଜ୍‌ ଓ ରାସ୍ତା ବୁଡ଼ିଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
ତାଙ୍କ ସୂଚନାନୁସାରେ, ରାୟଗଡ଼ାର କାଶୀପୁର ଓ ଗୁଣପୁରରେ ବଂଶଧାରା ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। କାଶୀପୁରଠାରେ ୫୪.୬ ମିଟର ବିପଦ ସଙ୍କେତ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୫୫.୭୫ ମିଟର ଉପରେ ବନ୍ୟାଜଳ ରହିଥିଲା। ସେହିପରି ଗୁଣପୁରରେ ୮୪ ମିଟର ବିପଦ ସଙ୍କେତ ଥିବାବେଳେ ୮୫.୧୦ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ବଂଶଧାରା ଫୁଲୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବିଭାଗ ସାମିଲ ହୋଇଛି। ମାଲକାନଗିରି ଜିଲାରେ ପ୍ରାୟ ସମସ୍ତ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାପାଳଙ୍କ ସହ ଯୋଗାଯୋଗ କରାଯାଇଥିବା ନେଇ ଏସ୍‌ଆର୍‌ସି ସେଠୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବୁଧବାର ରାଜ୍ୟରେ ୩ ବ୍ଲକ୍‌ରେ ୩୦୦ ମିମି ଉପରେ ବର୍ଷା ହୋଇଥିବାବେଳେ ୭ ବ୍ଲକ୍‌ରେ ୨୦୦ରୁ ୩୦୦ମିମି ଏବଂ ୬୭ ବ୍ଲକରେ ୧୦୦ରୁ ୨୦୦ମିମି ବର୍ଷା ରେକର୍ଡ କରାଯାଇଛି। ଏଥିମଧ୍ୟରୁ କଳାହାଣ୍ଡି ଲାଞ୍ଜିଗଡ଼ରେ ସର୍ବାଧିକ ୩୮୨.୬ ମିମି ବର୍ଷା ହୋଇଛି। ଏହାଛଡ଼ା ରାୟଗଡ଼ା କାଶୀପୁରରେ ୩୧୭.୪ ମିମି, କନ୍ଧମାଳ କୋଟଗାଡ଼ରେ ୩୦୮ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ସେପଟେ ବନ୍ୟା ସମୟରେ ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିପାଇଁ ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ୭ ଜିଲାରେ ୨ଜଣ ଲେଖାଏ ମୋଟ ୧୪ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସ୍ଥିତି ଅନୁଧ୍ୟାନ କରି ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ରିପୋର୍ଟ ଦେବା ପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଗୁରୁବାର ଦିନସାରା ମଧ୍ୟ ବର୍ଷା ଲାଗି ରହିବ। ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ୧୩ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିଭଳି ୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୁନ୍ଦରଗଡ଼ ଆଦି ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share